ବ୍ୟାଟିଂ ପରେ ବୋଲିଂରେ କମାଲ୍‌ ଦେଖାଇଲେ ବୁମରା, ୮୪ ରନରେ ୫ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଉପରେ ମହଙ୍ଗା ପଡିଛନ୍ତି। ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ଯାଇଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ରିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଶତକ ଟିମ୍‌କୁ ୪୧୬ ରନ୍‌ ପର୍ଯ୍ୟନ୍ତ ନେଇପାରିଥିଲା। ଏହାପରେ ଟିମ୍‌ ଇଣ୍ଡିଆ ମଧ୍ୟ ସେହିପରି ପ୍ରତିଶୋଧ ନେଇଛି। ଦ୍ୱିତୀୟ ଦିନ ଖେଳର ବର୍ଷା ଯୋଗୁଁ ପ୍ରଭାବିତ ରହିଥିଲା। କିନ୍ତୁ ଇଂଲଣ୍ଡ ଟିମ୍‌ ମାତ୍ର ୨୭ ଓଭରରେ ୫ଟି ଓ୍ଵିକେଟ ହରାଇ ୮୪ ରନ୍‌ କରିଛି। ଜାଡେଜା ନିଜ ଟେଷ୍ଟ କ୍ୟାରିଅରର ତୃତୀୟ ଶତକ ମାରିଛନ୍ତି।

ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ଇଂଲଣ୍ଡ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ଚାପରେ ରହିଛି। ୧୬ ରନ ସ୍କୋରରେ ଆଲେକ୍ସ ଲିସ(୬)ଙ୍କୁ ବୋଲ୍ଡ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜ୍ୟାକ କ୍ରାଉଲି(୯)ଙ୍କୁ ସ୍ଲିପରେ କ୍ୟାଚ୍ କରାଇ ଇଂଲଣ୍ଡକୁ ଦ୍ଵିତୀୟ ଝଟକା ଦେଇଛନ୍ତି ବୁମରା। ଓଲି ପୋପ(୧୦) ମଧ୍ୟ ବୁମରାଙ୍କ ଶିକାର ହୋଇଥିଲେ। ଇଂଲଣ୍ଡକୁ ସବୁଠୁ ବଡ ଝଟକା ଜୋ ରୁଟ୍ଙ୍କ ରୂପେ ଲାଗିଥିଲା। କ୍ରିଜରେ ଜମି ଆସିଥିବା ରୁଟ୍ ୩୧ ରନ କରି ସିରାଙ୍କ ବଲରେ ଆଉଟ୍ ହୋଇଛନ୍ତି। ଦିନର ଶେଷ ଆଡକୁ ଜ୍ୟାକ ଲିଚ୍ ଖାତା ଖୋଲିବା ପୂର୍ବରୁ ମହମ୍ମଦ ଶାମିଙ୍କ ବଲରେ ଆଉଟ୍ ହୋଇଛନ୍ତି। ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୮୪ ରନରେ ଅଧା ଓ୍ଵିକେଟ୍ ହରାଇ ସାରିଛି। ଜୋନି ବେୟାରଷ୍ଟୋ ୧୨ ଏବଂ ଅଧିନାୟକ ବେନ ଷ୍ଟୋକ୍ସ ୦ ରନର କରି ଅପରାଜିତ ଅଛନ୍ତି।

ଭାରତ ପକ୍ଷରୁ ୩୫ ରନରେ ୩ ଓ୍ଵିକେଟ୍, ମହମ୍ମଦ ଶାମି ୩୩ ରନ ଦେଇ ୧ ଏବଂ ମହମ୍ମଦ ସିରାଜ ୫ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।

scoreboard

ଇଂଲଣ୍ଡ ବିପକ୍ଷରେ ମାତ୍ର ୯୮ ରନ ଭିତରେ ୫ଟି ୱିକେଟ ହରାଇ ଟିମ୍‌ ଇଣ୍ଡିଆ ସଂଘର୍ଷ କରୁଥିବା ବେଳେ ପନ୍ତ ଏବଂ ଜାଡେଜା ଦଳକୁ ମଜବୁତ ସ୍ଥିତି ଦେଇଥିଲେ । ୧୧୧ ବଲରୁ ପନ୍ତଙ୍କ୧୪୬ ରନ ଏବଂ ୧୯୪ ବଲରୁ ଜାଡେଜାଙ୍କ ୧୦୪ ରନ ବଳରେ ଟିମ ଇଣ୍ଡିଆର ସ୍କୋର ୪୦୦ ଅତିକ୍ରମ କରିଛି । ଭାରତୀୟ ଟିମ୍‌ ବର୍ମିଂହାମରେ ୪୦୦ରୁ ଅଧିକ ରନ୍‌ କେବେ କରିନଥିଲା। କିନ୍ତୁ ଏଥର ରେକର୍ଡ କରିଛି। ଜାଡେଜା ରିଷଭ ପନ୍ତଙ୍କ ସହିତ ୨୨୨ ରନର ପାର୍ଟନରସିପ୍‌ କରିଛନ୍ତି। ପ୍ରଥମରୁ ଯେପରି ଓ୍ଵିକେଟ ଯାଇଥିଲା, ସେମିତି ହୋଇଥିଲେ ଟିମ୍‌ ଇଣ୍ଡିଆ ୧୫୦ ରନରେ ଅଲଆଉଟ୍‌ ହୋଇଥାନ୍ତି। କିନ୍ତୁ ଜାଡେଜା ଏବଂ ପନ୍ତଙ୍କ ବ୍ୟାଟିଂ ଭାରତକୁ ଲଜ୍ଜାଜନକ ସ୍ଥିତିରୁ ବାହାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.