ଦିନିକିଆ ସିରିଜ ହାରିବା ପରେ ଟି-୨୦ ପାଇଁ ପ୍ରସ୍ତୁତିରେ ଅଛି ଟିମ୍ ଇଣ୍ଡିଆ, ସବୁ ମାମଲାରେ ଆଗୁଆ ବିରାଟଙ୍କ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିଛି ଭାରତ। ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ଶେଷ ଦିନିକିଆ ୧୩ ରନରେ ବିଜୟୀ ହୋଇଥିଲା। ତେବେ ଦିନିକିଆ ପରେ ଆଜିଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ। ଉଭୟ ଦଳ ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଟି-ଟ୍ୱେଣ୍ଟିରେ ସର୍ବଦା ଭଲ ପ୍ରଦର୍ଶନ କରୁଥିବା ଭାରତ, ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ। ଅନ୍ୟ ପଟରେ ଘରୋଇ ଦଳ ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଜିତିବା ପରେ ଆତ୍ମବିଶ୍ୱାସରେ ଭରପୁର ରହିଛି ।

ଦିନିକିଆ ସିରିଜରେ ଅଷ୍ଟ୍ରେଲିଆର ପ୍ରଦର୍ଶନ ଭଲ ରହିଥିଲା। ଆରୋନ୍ ଫିଞ୍ଚ, ଷ୍ଟିଭେନ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଶ୍ରେଷ୍ଠ ଫର୍ମରେ ରହିଛନ୍ତି। ତଥାପି ଆହତ ଡେଭିଡ୍ ୱାର୍ଣ୍ଣରଙ୍କ ଅନୁପସ୍ଥିତି ଅନୁଭବ କରିବ ଅଷ୍ଟ୍ରେଲିଆ ଟିମ୍। ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍ ଶକ୍ତିଶାଳୀ ରହିଛି । ଏକାଧିକ ଅଲ୍ ରାଉଣ୍ଡର ଦଳରେ ରହିଥିବାରୁ ଭାରତୀୟ ବ୍ୟାଟିଂ ବିଭାଗକୁ ନେଇ ଅଷ୍ଟ୍ରେଲିଆ ସେତେଟା ଚିନ୍ତିତ ନୁହେଁ ।

ind-aus

ଭାରତୀୟ ଟିମ୍ ରେ ବ୍ୟାଟ୍ସମ୍ୟାନଙ୍କ ଅଭାବ ନାହିଁ । ତଥାପି ରୋହିତ ଶର୍ମାଙ୍କ ବ୍ୟାଟିଂକୁ ଭୁଲିବା କଷ୍ଟକର। ଉପ ଅଧିନାୟକ କେଏଲ ରାହୁଲ ଓ ଶିଖର ଧାୱନ ଆଜି ଓପନିଂ କରିପାରନ୍ତି । ମଧ୍ୟଭାଗରେ ବିରାଟ କୋହଲି, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି । ସଞ୍ଜୁ ସାମସନ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ନାହିଁ । ଦୀପକ ଚହର, ଜଶପ୍ରୀତ ବୁମରାହ ଓ ଟି ନଟରାଜନ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ। ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ସ୍ପିନ୍ ବିଭାଗ ସମ୍ଭାଳିବେ । ମ୍ୟାଚରେ ଟସ ଗୁରୁତ୍ୱପୂର୍ଣ୍ଣ ଭୂମିକ ଗ୍ରହଣ କରିବ । ଟିମ୍ ଅଷ୍ଟ୍ରେଲିଆ ଦିନିକିଆ ମ୍ଯାଚ ଜିତିବା ପରେ ଟି-୨୦ ସିରିଜ ଜିତିବାକୁ ସମସ୍ତ ଚେଷ୍ଟା କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.