Asia Cup ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ପିଠିରେ ଯନ୍ତ୍ରଣା ଯୋଗୁଁ ବାଦ୍‌ ପଡିଲେ ଯଶପ୍ରୀତ ବୁମରା

ଏସିଆ କପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ । ୧୫ ଜଣିଆ ଟିମକୁ ଫେରିଛନ୍ତି ବିରାଟ କୋହଲି ଓ କେଏଲ ରାହୁଲ । ହେଲେ ଟିମରୁ ବାଦ ପଡିଛନ୍ତି ଭାରତୀୟ ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରା। ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଏସିଆ କପରୁ ବିଶ୍ରାମ ଦିଆଯାଇଛି । ବୁମରା ଗତ କିଛି ମ୍ୟାଚରେ ଦମଦାର ଫର୍ମରେ ରହିଥିଲେ । ତେଣୁ ତାଙ୍କ ଅନୁପସ୍ଥିତି ଦଳର ପ୍ରଦର୍ଶନକୁ ପ୍ରଭାବିତ କରିପାରେ । ବୁମରାଙ୍କ ସହିତ ହର୍ଷଲ ପଟେଲଙ୍କୁ ମଧ୍ୟ ଆହତ କାରଣରୁ ବାଦ ଦିଆଯାଇଛି । ଦୀପକ ଚହର, ଶ୍ରେୟସ ଆୟର ଓ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ରଖାଯାଇଛି ।

୬ଟି ଦଳକୁ ନେଇ ଏସିଆ କପ ୟୁଏଇରେ ଅଗଷ୍ଟ୨୭ରୁ ଆରମ୍ଭ ହେବାକୁ ଯାଉଛି । ଏହା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଅଗଷ୍ଟ ୨୭ରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହାର ପରଦିନ ୨୮ ତାରିଖରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ, ପାକିସ୍ତାନକୁ ଭେଟିବ । ଅଗଷ୍ଟ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଖେଳାଯିବ । ଏହାପରେ ସେପ୍ଟେମ୍ବର ୩ରୁ ୯ ପର୍ଯ୍ୟନ୍ତ ସୁପର-୫ ମୁକାବିଲା ହେବ। ସେପ୍ଟେମ୍ବର ୧୧ରେ ଫାଇନାଲ ମ୍ୟାଚ ଖେଳାଯିବ ।

ବୁମରାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ କ୍ଷତି ସୃଷ୍ଟି କରିପାରେ। ଭାରତକୁ ଗ୍ରୁପ ଏରେ ରଖାଯାଇଛି। ଏଥିରେ ପାକିସ୍ତାନ ଏବଂ ତୃତୀୟ ଯୋଗ୍ୟତା ଅର୍ଜନ କରିଥିବା ଦଳ ରହିଛି। ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶକୁ ଗ୍ରୁପ ବିରେ ରଖାଯାଇଛି।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ ( ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ରିଷଭ ପନ୍ତ (ଓ୍ଵିକେଟ କିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଆଭେଶ ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.