ଟି-୨୦ ବିଶ୍ୱକପ୍‌ : ପାକିସ୍ତାନ ଆଗରେ ଭାରତ ରଖିଲା ୧୫୨ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ : ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱ କପ୍‌ ମ୍ୟାଚ୍‌ର ଫଳାଫଳ କଣ ହେବ, ଏବେ ଉଭୟ ଦେଶ ସହ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀ ଏହାକୁ ଚାହିଁ ବସିଛନ୍ତି । ଏହି ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ପ୍ରଥମ ଇନିଂସ୍‌ ସରି ଯାଇଛି । ଟସ୍‌ରେ ହାରିବା ପରେ ଭରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ କରିଛି । ଫଳରେ ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ୧୫୨ ରନ୍‌ କରିବାକୁ ହେବ । ସୁପର-୧୨ର ଏହି ଗ୍ରୁପ୍‌-୨ ମ୍ୟାଚ୍‌ ଉପରେ ଏବେ ସମସ୍ତଙ୍କ ନଜର ।
ଉଭୟ ଦଳ ମଧ୍ୟରେ ପୂର୍ବରୁ ୧୨ଟି ମ୍ୟାଚ୍‌ ଖେଳା ଯାଇଥିଲା ଏବଂ ସବୁଗୁଡ଼ିକ ଭାରତ ଜିତିଛି । ତେବେ ଆଜିର ଫଳାଫଳକୁ ନେଇ ସମସ୍ତେ ଉତ୍କଣ୍ଠାରେ ଅଛନ୍ତି । ଆଜି ପ୍ରଥମେ ବ୍ୟାଟିଂ ପାଇବା ପରେ ପାକିସ୍ତାନ ବୋଲିଂ ଆଗରେ ଭାରତର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ମାନେ ବିଫଳ ହୋଇଥିଲେ । ପ୍ରଥମେ କେ.ଏଲ୍‌ ରାହୁଲ ଏବଂ ପରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ । ଓ୍ଵିକେଟ୍‌ରେ ଜମି ଆସୁଥିବା ବେଳେ ଯୁବ ଖେଳାଳି ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଆଉଟ୍‌ ହୋଇ ଯାଇଥିଲେ । ପାକିସ୍ତାନ ବୋଲର ସାହିନ ଆଫ୍ରିଦି ଦୁଇ ଓପ୍ନରଙ୍କୁ ଆଉଟ୍‌ କରିଥିଲେ ।
ଟିମ୍‌ ଇଣ୍ଡିଆର ୩ଟି ଓ୍ଵିକେଟ୍‌ ମାତ୍ର ୩୧ ରନ୍‌ ଭିତରେ ପଡ଼ି ଯାଇଥିଲା । ଏହାପରେ ଅଧିନାୟକ ବିରାଟ କୋହଲି ଏବଂ ଓ୍ଵିକେଟ୍‌ କିପର ଋଷଭ ପନ୍ତ ପାଳି ସମ୍ଭାଳି ନେଇଥିଲେ । ଏମାନେ ୫୩ ରନ୍‌ ଯୋଡ଼ିବା ପରେ ପନ୍ତ ୩୦ ବଲ୍‌ରେ ୩୯ ରନ୍‌ (୨ ଚୌକା, ୨ ଛକା) କରି ଆଉଟ୍‌ ହୋଇଥିଲେ । ଶାବାଦ ଖାନ୍‌ଙ୍କ ଗୁଗଲିରେ ପନ୍ତ କଟ୍‌ ଆଣ୍ଡ ବୋଲଡ୍‌ ହୋଇ ଯାଇଥିଲେ । ପନ୍ତଙ୍କ ପରେ କୋହଲିଙ୍କ ସହ ଯୋଗ ଦେଇଥିଲେ ରବୀନ୍ଦ୍ର ଜାଡେଜା । ଏ ଦୁହେଁ ୪୧ ରନ୍‌ ଯୋଡ଼ିଥିଲେ । ଜାଡେଜା ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ଭିତରେ କୋହଲି ୪୫ ବଲ୍‌ରେ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ । ଆଉ ଏକ ନୂଆ ରେକର୍ଡ଼ ମଧ୍ୟ କରିଥିଲେ । ଟି-୨୦ ବିଶ୍ୱକପ୍‌ରେ ସର୍ବାଧିକ ୧୦ଟି ଅର୍ଦ୍ଧଶତକ କରି ଶୀର୍ଷରେ ରହିଛନ୍ତି କୋହଲି । ଶେଷରେ କୋହଲି ୪୯ ବଲ୍‌ରେ ୫୭ ରନ୍‌ କରି ଆଫ୍ରିଦିଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ତାଙ୍କ ଇନିଂସ୍‌ରେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ ।
ଶେଷ ଦୁଇ ଓଭରରେ ଭାରତକୁ ଅଧିକ ସ୍କୋର କରିବାର ଥିଲା । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୧୧ ରନ୍‌ କରି ଶେଷ ଓଭରର ତୃତୀୟ ବଲ୍‌ରେ ଆଉଟ୍‌ ହୋଇଥିଲେ । ଆଉ ଭାରତ ୭ ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା ।
ପାକିସ୍ତାନ ତରଫରୁ ବଢ଼ିଆ ବୋଲିଂ କରି ସାହିନ ଆଫ୍ରିଦି ୩ ଏବଂ ହାସନ ଅଲୀ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଆଫ୍ରିଦି ୪ ଓଭରରେ ୩୧ ରନ୍‌ ଦେଇ ପ୍ରମୁଖ ୩ଟି ଓ୍ଵିକେଟ୍‌ ନେଇଥିଲେ ।

SCORE-1

SCORE-2

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.