ଆଜି ଭାରତ-ଅଷ୍ଟ୍ରେଲିଆ ଭିତରେ ଖେଳାଯିବ ଦ୍ୱିତୀୟ ଟି-ଟେ୍ଵଣ୍ଟି । ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ମ୍ୟାଚ୍ ଜିତିବା ଭାରତ ପାଇଁ ନିହାତି ଜରୁରୀ । ଆଜି ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଟି-ଟେ୍ଵଣ୍ଟିରେ ଭାରତ ହାରିଥିଲା । ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ମ୍ୟାଚ୍ ଗୁରୁତ୍ୱକୁ ଦେଖିଲେ ପ୍ଲେଇଂ ଭଲେଭେନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ହର୍ଷଲ ପଟେଲଙ୍କୁ ବାଦ ଦେଇ ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରାହଙ୍କୁ ମିଳିପାରେ ସୁଯୋଗ । ଆହତ କାରଣରୁ ବୁମରାହ ଏସିଆ କପ୍ରୁ ବାଦ ପଡ଼ିଥିଲେ ।
ଆଜିର ନିର୍ଣ୍ଣାୟକ ମ୍ୟାଚରେ ସେ ଫେରିବା ସମ୍ଭାବନା ଅଧିକ । ବ୍ୟାଟିଂ ଭାର ସମ୍ଭାଳିବେ ରୋହିତ, ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀନେଶ କାର୍ତ୍ତିକ । ବଡ଼ ସ୍କୋର ସତ୍ତ୍ୱେ ଦୁର୍ବଳ ବୋଲିଂ ଯୋଗୁ ପ୍ରଥମ ମ୍ୟାଚ୍ ହାରିଲା ଭାରତ । ବୁମରାହ ଫେରିଲେ ତାଙ୍କ ସହ ଭୁବନେଶ୍ୱର କୁମାର ଓ ଉମେଶ ଯାଦବ ପେସ୍ ଆଟାକ୍ ସମ୍ଭାଳିବେ । ଚତୁର୍ଥ ପେସ୍ ବୋଲର ଦାୟିତ୍ୱ ତୁଲାଇବେ ପାଣ୍ଡ୍ୟା । ଅକ୍ଷର ପଟେଲ ଓ ଯୁଜବେନ୍ଦର ଚହଲ ସ୍ପିନ ବିଭାଗ ସମ୍ଭାଳିବେ । ଅନ୍ୟପଟେ ଆରୋନ୍ ଫିଞ୍ଚଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଟିମ୍ ପ୍ରଥମ ମ୍ୟାଚ୍ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ବ୍ୟାଟିଂରେ ଦମ୍ ଦେଖାଇଥିଲା ଦଳ । ଭ୍ରମଣକାରୀ ଦଳ ଅଲରାଉଣ୍ଡର ପ୍ରଦର୍ଶନ କରି ଡ୍ରାଇଭର ସିଟପେ ରହିଛି । ଆଜି ବିଜୟୀ ହେଲେ ଆଗୁଆ ସିରିଜ କବଜା କରିବ କଙ୍ଗାର ବାହିନୀ ।