କଙ୍ଗାରୁ ପରେ ଏବେ କ୍ୱିଓ୍ଵି ବିଜୟ ପାଇଁ ପ୍ରସ୍ତୁତ ବିରାଟ ବାହିନୀ

ଭୁବନେଶ୍ୱର (କେ ନ୍ୟୁଜ୍‌, ସ୍ପୋର୍ଟସ ଡେସ୍କ) : ଆସନ୍ତା ୨୩ ତାରିଖରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହେବ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ ସିରିଜ୍‌ । ଅଷ୍ଟ୍ରେଲିଆକୁ ପ୍ରଥମଥର ଅଷ୍ଟ୍ରେଲିଆରେ ହରାଇ ୨-୧ରେ ସିରିଜ୍‌ ଜିତିବା ପରେ ଏବେ ବିରାଟ ବାହିନୀର ଲକ୍ଷ୍ୟ ‘କ୍ୱିଓ୍ଵି’ ଦଳକୁ ତାରି ମାଟିରେ ହରାଇବା । କାରଣ ଆଗକୁ ବିଶ୍ୱ କପ୍‌ ଥିବାରୁ ଏଭଳି ବଡ଼ ବିଜୟ ଦଳକୁ ଟାଇଟଲ୍‌ ଦୌଡ଼ରେ ସବା ଆଗରେ ରଖିବ ।

ସାମନା ସାମନି

ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ୍‌ ୯୮ଟି ଦିନିକିଆ ମ୍ୟାଚ୍‌ ଖେଳା ଯାଇଛି । ଏହି ସିରିଜ୍‌ରେ ଶତକ ପୂର୍ଣ୍ଣ ହେବ । ତେବେ ଏହି ୯୮ଟି ମ୍ୟାଚ୍‌ ମଧ୍ୟରୁ ଭାରତ ପକ୍ଷକୁ ଯାଇଛି ୪୯ଟି ଓ ନ୍ୟୁଜିଲାଣ୍ଡ ୪୩ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚ୍‌ ଟାଇ ରହିଥିବା ବେଳେ ୫ଟି ବିନା ଫଳାଫଳରେ ଶେଷ ହୋଇଛି । ତେଣୁ ମାତ୍ର ୬ଟି ମ୍ୟାଚ୍‌ର ଫରକ । ଯାହା ସେମାନଙ୍କ ସାମର୍ଥ୍ୟରେ ଅଧିକ ତଫାତ ନଥିବା ପ୍ରମାଣିତ କରୁଛି । ସିରିଜ୍‌ ବିଜୟ କଥାକୁ ଦେଖିଲେ ଏଥିରେ ବି ଭାରତ ଆଗରେ ରହିଛି । ଭାରତ ୬ଟି ଓ ନ୍ୟୁଜିଲାଣ୍ଡ ୪ଟି ସିରିଜ୍‌ ଜିତିଛି । ଶେଷ ଥର ୨୦୧୬ରେ ନ୍ୟୁଜିଲାଣ୍ଡ ଦଳ ଭାରତ ଗସ୍ତରେ ଆସି ୫ ମ୍ୟାଚ୍‌ର ସିରିଜ୍‌ ଖେଳିଥିଲା । ଏଥିରେ ଭାରତ ୩-୨ରେ ବିଜୟୀ ହୋଇଥିଲା । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡରେ ଭାରତୀୟ ଦଳ ମୋଟ୍‌ ୭ଟି ଦିନିକିଆ ସିରିଜ୍‌ ଖେଳିଛି । ଏଥିରୁ ୪ଟିରେ ଘରୋଇ ଦଳ ବିଜୟୀ ହୋଇଛି । ୨୦୧୪ରେ ଶେଷଥର ନ୍ୟୁଜିଲାଣ୍ଡ ଯାଇ ଭାରତୀୟ ଦଳ ଶୋଚନୀୟ ଭାବେ ୪-୦ରେ ସିରିଜ୍‌ ହାରିଥିଲା । ଅବଶ୍ୟ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଦ୍ୱିପାକ୍ଷିକ ସିରିଜ୍‌ ଜିତି ପାରିନାହିଁ ।

VIRAT-WILLIAMSON-2
ଉଭୟ ଦଳ ଭାରତରେ ମୋଟ୍‌ ୩୨ଟି ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ଭାରତ ୨୪ଟି ଓ ନ୍ୟୁଜିଲାଣ୍ଡ ମାତ୍ର ୭ଟି ଜିତିଛି । ନ୍ୟୁଜିଲାଣ୍ଡରେ ଦୁଇ ଦଳ ୩୪ଟି ମ୍ୟାଚ୍‌ ଖେଳିଥିବା ବେଳେ ଭାରତ ୧୦ଟି ଓ ନ୍ୟୁଜିଲାଣ୍ଡ ୨୧ଟି ଜିତିଛି । ନିରପେକ୍ଷ ଜାଗାରେ ଦୁଇ ଦଳ ୩୨ଟି ମ୍ୟାଚ୍‌ ଖେଳିଛନ୍ତି । ଉଭୟଙ୍କ ବିଜୟ ରେକର୍ଡ଼ ସମାନ ୧୫-୧୫ ରହିଛି । ୧୯୮୮ରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମଥର ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ୍‌ ଖେଳିଥିଲା ।

LOGO

ବିରାଟ ଭାଙ୍ଗିବେ ସେହବାଗଙ୍କ ରେକର୍ଡ଼

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପକ୍ଷରୁ ସର୍ବାଧିକ ରନ୍‌ କରିଛନ୍ତି ସଚିନ୍‌ ତେନ୍ଦୁଲକର । ତାଙ୍କ ପଛକୁ ଦ୍ୱିତୀୟରେ ଅଛନ୍ତି ବୀରେନ୍ଦ୍ର ସେହବାଗ । ସେହବାଗ ୨୩ଟି ମ୍ୟାଚ୍‌ ଖେଳି ୧୧୫୭ ରନ୍‌ କରିଥିବା ବେଳେ ବିରାଟ ୧୯ଟି ମ୍ୟାଚ୍‌ ଖେଳି ୧୧୫୪ ରନ୍‌ ସଂଗ୍ରହ କରିଛନ୍ତି । ଆଉ ୪ ରନ୍‌ କଲେ ସେ ସେହବାଗଙ୍କ ରେକର୍ଡ଼ ଭାଙ୍ଗିବେ । ଖାଲି ସେତିକି ନୁହେଁ ସେହବାଗ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ଟି ଶତକ କରିଥିବା ବେଳେ ବିରାଟ କରିଛନ୍ତି ୫ଟି ଶତକ । ଅନ୍ୟପକ୍ଷରେ ତେନ୍ଦୁଲକର ୪୨ଟି ମ୍ୟାଚ୍‌ ଖେଳି ୧୭୫୦ ରନ୍‌ (୫ଟି ଶତକ) କରିଛନ୍ତି । ୨୦୧୪ରେ ଧୋନିଙ୍କ ଅଧୀନରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲେ ବିରାଟ କୋହଲି । ୫ ମ୍ୟାଚ୍‌ ସିରିଜ୍‌ରେ ସର୍ବାଧିକ ୨୯୧ ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ଵିଲିୟମସନ୍‌ କରିଥିଲେ ସର୍ବାଧିକ ୩୬୧ ରନ୍‌ ।
ଏଥର ଭାରତୀୟ ଦଳ ଭଲ ଫର୍ମରେ ଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପିଚ୍‌ ଓ ପେସ୍‌ ବୋଲର୍‌ ଏହାର ବ୍ୟାଟସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇ ପାରନ୍ତି । ତେବେ ଏଥିପାଇଁ ପ୍ରସ୍ତୁତ ବୋଲି କହିଛନ୍ତି କୋହଲି । ଦେଖିବାର କଥା ବିରାଟ ବ୍ରିଗେଡ୍‌କୁ କିଭଳି ରୋକୁଛି କେନ୍‌ ଓ୍ଵିଲିୟମସନ୍‌ଙ୍କ କିଓ୍ଵି ଦଳ । ଦଳର କୋଚ୍‌ ଗ୍ୟାରୀ ଷ୍ଟିଡ୍‌ କହିଛନ୍ତି ଯେ ଆମେ ଭାରତ ବିପକ୍ଷରେ ସିରିଜ୍‌ ଜିତିବା ଏବଂ ବିଶ୍ୱ କପ୍‌କୁ ଲକ୍ଷ୍ୟରେ ରଖି ଦଳ ଚୟନ କରିଛୁ ।

ଆସନ୍ତା ୨୩ ତାରିଖ ଦିନ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ ନାପିଏର୍‌ ଠାରେ ଖେଳାଯିବ । ଭାରତୀୟ ସମୟ ସକାଳ ୭.୩୦ରେ ଖେଳ ଆରମ୍ଭ ହେବ ।

ଅନୁଷ୍କାଙ୍କ ସମେତ ନ୍ୟୁଜିଲାଣ୍ଡରେ ପହଞ୍ଚିଲା ଭାରତୀୟ ଦଳ

VIRUSKA

ଆଜି ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ପହଞ୍ଚିଛି । ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଦଳର ଅନ୍ୟ ଖେଳାଳିମାନେ ଅକଲାଣ୍ଡ ବିମାନ ବନ୍ଦରରେ ଓହ୍ଲାଇ ହୋଟେଲକୁ ଯାଇଥିଲେ ।

ଦେଖନ୍ତୁ ଏହାର ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.