ପୁଣି ଇତିହାସ : ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ବିଜୟ ସହ ଟି-୨୦ ସିରିଜ୍‌କୁ ଫେରିଲା ଟିମ୍‌ ଇଣ୍ଡିଆ

ଅକ୍‌ଲାଣ୍ଡ : ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ରେ ପ୍ରଥମ ମ୍ୟାଚ୍‌ ଜିତିଲା ଭାରତ । ଆଜି ଅକଲାଣ୍ଡରେ ଖେଲା ଯାଇଥିବା ଏହି ମ୍ୟାଚ୍‌ରେ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଭାରତ ଘରୋଇ ଦଳକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି । ହାତରେ ଆହୁରି ୭ଟି ବଲ୍‌ ବାକି ଥାଇ ଭାରତ ଜିତିଯାଇଥିଲା । ଫଳରେ ୩ ମ୍ୟାଚ୍‌ର ସିରିଜ୍‌ ୧-୧ ସ୍ଥିତିକୁ ଆସିଛି । ନ୍ୟୁଜିଲାଣ୍ଡ ମାଟିରେ ୪ଟି ମ୍ୟାଚ୍‌ ଖେଳିଥିବା ଭାରତ ପ୍ରଥମଥର ବିଜୟୀ ହୋଇଛି । ଶେଷ ମ୍ୟାଚ୍‌ ୧୦ ତାରିଖ ଦିନ ହାମିଲଟନ୍‌ରେ ଖେଳାଯିବ ।
ପ୍ରଥମ ମ୍ୟାଚ୍‌ର ପରାଜୟ ଖୁବ୍‌ ଆଘାତ ଦେଇଥିଲା ଭାରତୀୟ ଦଳକୁ । ତେଣୁ ପୂରା ରାଗ ଶୁଝାଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶିଖର ଧବନ । ଦୁହେଁ ଓ୍ଵିକେଟ୍‌ରେ ପ୍ରଥମରୁ ଜମି ରହି ୧୦ ଓଭର ଭିତରେ ୭୯ ରନ୍‌ ସଂଗ୍ରହ କରିଥିଲେ । ରୋହିତ ମାତ୍ର ୨୯ ବଲ୍‌ରୁ ୫୦ ରନ୍‌ (୩ ଚୌକା ଓ ୪ ଛକା) କରି ଆଉଟ୍‌ ହେବା ପରେ ଏହି ଯୋଡ଼ି ଭାଙ୍ଗିଥିଲା । ଅଳ୍ପ ବ୍ୟବଧାନରେ ଧବନ ୩୧ ବଲ୍‌ରୁ ୩୦ ରନ୍‌ କରି ଆଉଟ୍‌ ହୋଇଥିଲେ । ବିଜୟ ଶଙ୍କର ୮ଟି ବଲ୍‌ ଖେଳି ୧୪ ରନ୍‌ (୧ ଚୌକା ଓ ୧ ଛକା) କରିଥିଲେ । ଏହା ପରେ ୠଷଭ ପନ୍ତ ଏବଂ ମ୍ୟାଚ୍‌ ଫିନିସର୍‌ ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇ ଦେଇଥିଲେ । ପନ୍ତ ୨୮ ବଲ୍‌ରେ ୪୦ ରନ୍‌ (୪ ଚୌକା, ୧ ଛକା) ଏବଂ ଧୋନି ୧୭ ବଲ୍‌ରୁ ୨୦ ରନ୍‌ କରି ଅପରାଜିତ ରହିଥିଲେ ।
ପୂର୍ବରୁ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ୧୫୮ ରନ୍‌ କରି ଭାରତକୁ ୧୫୯ ରନ୍‌ର ବିଜୟଲକ୍ଷ୍ୟ ଦେଇଥିଲା ।

ସ୍କୋର : ନ୍ୟୁଜିଲାଣ୍ଡ-୧୫୮/୮, ୨୦ ଓଭର (ଟିମ୍‌ ସିଫର୍ଟ ୧୨, କଲିନ୍‌ ମନରୋ ୧୨, କେନ୍‌ ଓ୍ଵିଲିୟମସନ୍‌ ୨୦, ଡାରିଲ ମିଚେଲ ୧, ରଜ୍‌ ଟେଲର ୪୨, କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୫୦, ମିଚେଲ ସାଣ୍ଟନର ୭, କୁଗଲିଏନ୍‌ ଅପରାଜିତ ୨, ଟିମ୍‌ ସାଉଦି ୩ । କ୍ରୁନାଲ ପାଣ୍ଡ୍ୟା ୩/୨୮, ଖଲିଲ ଅହମଦ ୨/୨୭) ।
ଭାରତ-୧୬୨/୩ (ରୋହିତ ଶର୍ମା ୫୦, ଶିଖର ଧବନ ୩୦, ୠଷଭ ପନ୍ତ ଅପରାଜିତ ୪୦, ବିଜୟ ଶଙ୍କର ୧୪, ଧୋନି ଅପରାଜିତ ୨୦) ।

INDIA-NZ-2

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.