ଶୋଚନୀୟ ପରାଜୟ : ଶେଷ ମ୍ୟାଚରେ ୯ ୱିକେଟରେ ହାରିଲା ଇଣ୍ଡିଜ, ଭାରତ ୩-୧ରେ ସିରିଜ୍ ବିଜୟୀ

ତିରୁବନନ୍ତପୁରମ : ଏଭଳି ପରାଜୟ କେହି ଭାବି ନଥିଲେ । ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭାରତ ଠାରୁ ୱେଷ୍ଟଇଣ୍ଡିଜ୍ ଅତି ଶୋଚନୀୟ ଭାବେ ୯ ୱିକେଟରେ ହାରି ଯାଇଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍ ମାତ୍ର ୧୦୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଭାରତ ରୋହିତ ଶର୍ମାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ମାତ୍ର ୧୪.୫ ଓଭରରେ ଜିତି ଯାଇଥିଲା । ରୋହିତ ୬୩ ରନ୍ (୫୬ ବଲ୍, ୫ ଚୌକା ଓ ୪ ଛକା) ଏବଂ ଅଧିନାୟକ ବିରାଟ କୋହଲି ଅପରାଜିତ ୩୩ ରନ୍ (୨୯ ବଲ୍, ୬ ଚୌକା) କରିଥିଲେ । ଏହି ବିଜୟ ସହ ଘରୋଇ ଦଳ ୩-୧ରେ ସିରିଜ୍ ଜିତିଛି । ଘରୋଇ ପଡ଼ିଆରେ ଏହା ହେଉଛି ବିରାଟ ବାହିନୀର ଲଗାତର ଷଷ୍ଠ ସିରିଜ୍ ବିଜୟ ।

KOHLI WITH TROPHY

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ବି ଲଢ଼େଇ କରିବା ଜାଗାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ କରିଦେଇଥିଲା ୱେଷ୍ଟଇଣ୍ଡିଜ ଦଳ । ସ୍ଲୋ ପିଚରେ ଭ୍ରମଣକାରୀ ଦଳର ବ୍ୟାଟ୍ସମ୍ୟାନମାନେ ଆଦୌ ଠିକ୍ ଭାବେ ଖେଳି ପାରିନଥିଲେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୪ଟି ଏବଂ ବୁମରା ଓ ଖଲିଲ ଅହମଦ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଇଣ୍ଡିଜ ଦଳ ପକ୍ଷରୁ ସର୍ବାଧିକ ୨୫ ରନ୍ ସ୍କୋର କରିଥିଲେ ଅଧିନାୟକ ଜେସନ୍ ହୋଲଡର । ହୋଲଡରଙ୍କ ବ୍ୟତୀତ ପାୱେଲ ଓ ସାମୁଏଲ୍ସ ମୋଟ ୩ ଜଣ ଦୁଇ ଅଙ୍କ ଛୁଇଁ ପାରିଥିଲେ । ପୂରା ମ୍ୟାଚ୍ ୫୦ ଓଭର ଭିତରେ ସରି ଯାଇଥିଲା ।

ଜାଡେଜା ମ୍ୟାନ ଅଫ ଦି ମ୍ୟାଚ୍ ଓ କୋହଲି ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି ।

ସ୍କୋର : ୱେଷ୍ଟଇଣ୍ଡିଜ-୧୦୪ ରନ୍ ଅଲଆଉଟ୍, ୩୧.୫ ଓଭର (ହୋଲଡର ୨୫, ପାୱେଲ ୧୬, ସାମୁଏଲ୍ସ ୨୪ । ଜାଡେଜା ୯.୫-୧-୩୪-୪, ବୁମରା ୬-୧-୧୧-୨, ଖଲିଲ ଅହମଦ ୭-୧-୨୯-୨, ଭୁବନେଶ୍ବର କୁମାର ୪-୧-୧୧-୧, କୁଲଦୀପ ଯାଦବ ୫-୧-୧୮-୧) ।

ଭାରତ-୧୦୫/୧, ୧୪.୫ ଓଭର (ରୋହିତ ଶର୍ମା ଅପରାଜିତ ୬୩, ଶିଖର ଧବନ ୬, ବିରାଟ କୋହଲି ଅପରାଜିତ ୩୩) ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.