ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏବେ ଆର୍ଥିକ ଅଭାବରେ ଦିନ କାଟୁଛନ୍ତି। ତାଙ୍କ ପାଖରେ କୌଣସି ରୋଜଗାର ନାହିଁ। କେବଳ ପେନସନ ସାହାରାରେ ନିଜର ଏବଂ ପରିବାରର ପ୍ରତିପୋଷଣ କରୁଛନ୍ତି। କାମ୍ବଲି ନିଜେ ଏକ ଇଣ୍ଟରଭ୍ୟୁରେ ଏକଥା ଖୁଲାସା କରିଛନ୍ତି। ବିସିସିଆଇ ପକ୍ଷରୁ ମିଳୁଥିବା ମାତ୍ର ୩୦ ହଜାର ଟଙ୍କାରେ ନିଜର ଘର ପରିବାର ଚଳାଉଛନ୍ତି କାମ୍ବଲି।
କାମ୍ବଲି ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଆୟ କରିବାର କୌଣସି ବାଟ ନାହିଁ। କେବଳ ବିସିସିଆଇ ଦେଉଥିବା ମାସିକ ୩୦ ହଜାର ଟଙ୍କାରେ ଘର ଚଳୁଛି। ଆଉ ଏଥିପାଇଁ ବିସିସିଆଇ ପ୍ରତି ମୁଁ କୃତଜ୍ଞ। ମୁଁ ଜଣେ ରିଟାୟର୍ଡ କ୍ରିକେଟର। ସଂପୂର୍ଣ୍ଣ ଭାବେ ବିସିସିଆଇର ପେନସନ ଉପରେ ନିର୍ଭର କରୁଛି। ତେଣୁ ମୋତେ କାମ ଦରକାର।
୧୯୭୨ ଜାନୁଆରୀ ୧୮ରେ ମୁମ୍ବାଇରେ ଜନ୍ମିତ ବିନୋଦ କାମ୍ବଲି ଏବଂ ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚ୍ରେକର ମଧ୍ୟ ମାଷ୍ଟର ବ୍ଲାଷ୍ଟରଙ୍କଠୁ କାମ୍ବଲି ଅଧିକ ପ୍ରତିଭାବାନ ବୋଲି କହିଥିଲେ। ୫୦ ବର୍ଷୀୟ ବିନୋଦ କାମ୍ବଲିଙ୍କ ପୂରା ନାମ ବିନୋଦ ଗଣପତି କାମ୍ବଲି। ସେ ୧୦ମ ଯାଏଁ ପଢିଛନ୍ତି।
କାମ୍ବଲି ଭାରତ ପାଇଁ ୧୯୯୧ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ଏବଂ ୨୦୦୦ ମସିହାରେ ନିଜର ଶେଷ ମ୍ୟାଚ୍ ଖେଳିଥିଲେ। ଭାରତୀୟ ଦଳ ପକ୍ଷରୁ କାମ୍ବଲି ମୋଟ୍ ୧୦୪ ଦିନିକିଆ ଏବଂ ୧୭ଟି ଟେଷ୍ଟ ଖେଳି ମୋଟ୍ ୩୫୬୧ ରନ କରିଛନ୍ତି। ଟେଷ୍ଟରେ ୪ଟି ଶତକ ଏବଂ ଦିନିକିଆରେ ୨ଟି ଶତକ ରହିଛି।
କାମ୍ବଲି ୨୦୧୯ରେ ଶେଷ ଥର କୌଣସି ଦଳର କୋଚିଂ ଦାୟିତ୍ଵ ସମ୍ଭାଳିଥିଲେ। ସେହି ସମୟରେ ସେ ଟି-୨୦ ମୁମ୍ବାଇ ଲିଗ୍ ସହ ଜଡିତ ଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ମୋଟ୍ ସଂପତ୍ତି ୧ରୁ ୧.୫ ମିଲିୟନ ଡଲାର ହେବ। ୨୦୨୨ ଆରମ୍ଭରେ ତାଙ୍କର ବାର୍ଷିକ ଆୟ କେବଳ ୪ ଲକ୍ଷ ଟଙ୍କାରେ ସୀମିତ ରହିଥିଲା।
କ୍ରିକେଟରୁ ଦୂରରେ ଥିଲେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ନିକଟରେ ଆୟର ଅନେକ ସାଧନ ରହିଥିଲା। ସେ କ୍ରିକେଟରେ କମେଣ୍ଟ୍ରି କରିବା ସହ ବିଜ୍ଞାପନରେ କାମ କରୁଥିଲେ। ଏଥିରୁ ତାଙ୍କର ଭଲ ଆୟ ହେଉଥିଲା। ଏପରିକି ସେ ଫିଲ୍ମରେ ଅଭିନୟ କରି କିଛି ଆୟ ମଧ୍ୟ କରୁଥିଲେ। କରୋନା ମହାମାରୀ ପରଠୁ ତାଙ୍କ ଅବସ୍ଥା ଆହୁରି ଶୋଚନୀୟ ହେବାରେ ଲାଗିଥିଲା।
ବିନୋଦ କାମ୍ବଲି ନିଜ କ୍ରିକେଟ୍ କ୍ୟାରିୟର ଅପେକ୍ଷା ବିବାଦ କାରଣରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବେ କାମ୍ବଲିଙ୍କୁ ନିଶାରେ ଗାଡି ଚଲାଇବା ଅଭିଯୋଗରେ ଗିରଫ କରାଯାଇଥିଲା। ୨୦୨୨ ଫେବୃଆରୀରେ ବିନୋଦ କାମ୍ବଲି ନିଶାରେ ଡ୍ରାଇଭିଂ କରି ଗୋଟିଏ ଗାଡିକୁ ଧକ୍କା ଦେଇଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପାଓ୍ଵରଙ୍କ ସ୍ତ୍ରୀଙ୍କ କାରକୁ ଧକ୍କା ଦେଇଥିଲେ କାମ୍ବଲି। କାରକୁ ଧକ୍କା ଦେବା ପରେ କାନ୍ଥକୁ ପିଟିହୋଇଥିଲା ତାଙ୍କ କାର। ତାଙ୍କ ବିରୋଧରେ ଅଭିଯୋଗ ହେବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ହେଲେ ପରେ ତାଙ୍କୁ ଜାମିନ୍ ମିଳିଯାଇଥିଲା।