ଏସିଆନ ହକି ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନକୁ ୪-୩ରେ ହରାଇଲା ଭାରତ

ଏସିଆନ ହକି ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ମିଳିଛି ବ୍ରୋଞ୍ଜ ପଦକ । ସେମିଫାଇନାଲରେ ଜାପାନଠାରୁ ହାରିବା ପରେ ଭାରତୀୟ ଦଳ ପୁଣି ଫର୍ମକୁ ଫେରି ବ୍ରୋଞ୍ଜ ପଦକ ହାସଲ କରିଛି । ଦୁଇ ଦଳ ମଧ୍ୟରେ ହୋଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାକିସ୍ତାନକୁ ୪-୩ ଗୋଲ୍‌ରେ ମାତ୍ ଦେଇଛି। ଦୁଇ ଦଳ ଏହା ପୂର୍ବରୁ ପ୍ରଥମ ଗ୍ରୁପରେ ମୁହାମୁହିଁ ହୋଇଛନ୍ତି । ଶେଷ କ୍ୱାର୍ଟରରେ ଟିମ୍‌ ଇଣ୍ଡିଆ କମାଲ୍‌ କରିଥିଲା।

ମ୍ୟାଚ ସରିବାକୁ କିଛି ସମୟ ବାକି ଥିଲା ସେତେବେଳେ ଟିମ୍‌ ଇଣ୍ଡିଆ ପକ୍ଷରୁ ତୃତୀୟ ଗୋଲ୍‌ ହୋଇଥିଲା। ଭାରତର ତୃତୀୟ ଗୋଲ ବରୁଣ କୁମାର କରିଥିଲେ। ପେନାଲିଟ୍‌ କର୍ଣ୍ଣରର ଫାଇଦା ଉଠାଇ ବରୁଣ ପାକିସ୍ତାନ ଖେଳାଳିକୁ ଚକମା ଦେଇ ଭାରତକୁ ବିଜୟ ଦେଇଥିଲା।

ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଦମଦାର ପ୍ରଦର୍ଶନ କରିଥିଲା। କିଛି ମିନିଟ୍‌ରେ ଭାରତକୁ ତିନୋଟି ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତୃତୀୟ ସୁଯୋଗରେ ଭାରତ ପକ୍ଷରୁ ଅମଜଦ ଅଲ୍ଲୀ ଗୋଲ୍ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ଵିତୀୟ କ୍ଵାର୍ଟରରେ ପାକିସ୍ତାନ ଗୋଲ ଦେବାକୁ ଜୋରଦାର ଉଦ୍ୟମ କରିଥିଲା। ତେବେ ଦ୍ଵିତୀୟ କ୍ଵାର୍ଟରରେ ମଧ୍ୟ ସ୍କୋର ୧-୧ରେ ବରାବର ରହିଥିଲା।

ତୃତୀୟ କ୍ଵାର୍ଟର ଆରମ୍ଭରୁ ପାକିସ୍ତାନ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ପାକିସ୍ତାନର ଅବଦୁଲ ରାଣା ସହଜରେ ଗୋଲ୍ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ଵାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଭାରତ ମ୍ୟାଚ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ସୁମିତ ସମୟ ସରିବା ପୂର୍ବରୁ ଗୋଲ୍ ଦେଇ ଭାରତକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଖେଳ ୨-୨ରେ ସମାନ ସ୍ଥିତିରେ ରହିଥିଲା।

ଚତୁର୍ଥ ତଥା ଶେଷ କ୍ଵାର୍ଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା। ହରମନପ୍ରୀତ ଏହି କ୍ଵାର୍ଟରରେ ପେନାଲିଟ କର୍ଣ୍ଣରରୁ ଦମଦାର ଗୋଲ୍ ଦେଇଥିଲେ। ଏହାର କିଛି ମିନିଟ୍‌ ପରେ ଆକାଶଦୀପ ସିଂହ ଦମଦାର ଗୋଲ୍ ଦେଇଥିଲେ। ଏଥିସହ ଭାରତ ମ୍ୟାଚରେ ୪-୨ରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ପାକିସ୍ତାନ ପ୍ରତ୍ୟାବର୍ତ୍ତନ ଉଦ୍ୟମରେ ତୃତୀୟ ଗୋଲ୍ ଦେଇଥିଲା। ତେବେ ଭାରତ ଶେଷରେ ମ୍ୟାଚ୍‌କୁ ୪-୩ରେ ଜିତି ନେଇଥିଲା।

Leave A Reply

Your email address will not be published.