ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ପଡ଼ିବ ଟସ୍ । ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ । ଉଭୟ ଦଳ ଜିତିବା ଲକ୍ଷ୍ୟରେ ଅଛନ୍ତି । କାରଣ ସିରିଜ୍ ହାତେଇବେ ।
ଏହା ସହିତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଡ଼ିତ ରହିଛି ଏହି ମ୍ୟାଚ୍କୁ ନେଇ । ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱ କପ୍ ଦଳରେ ଯେଉଁ ଗୋଟିଏ ଦୁଇଟି ସ୍ଥାନ ବାକି ଅଛି ତାକୁ ପୂରଣ କରିବା ଲାଗି ଅନେକ ଦାବିଦାର ରହିଛନ୍ତି । ତେଣୁ ଏକ ପ୍ରତିଯୋଗିତା ମଧ୍ୟ ହେବ । ଭାରତ ପକ୍ଷରୁ କେଏଲ୍ ରାହୁଲ ଏବଂ କଙ୍ଗାରୁ ଦଳର ଆଷ୍ଟନ୍ ଟର୍ଣ୍ଣରଙ୍କ ଉପରେ ଏ ନେଇ ବିଶେଷ ନଜର ରହିଛି ।
ଅଷ୍ଟ୍ରେଲିଆ ଦଳ ଶେଷଥର ଭାରତ ମାଟିରେ ୨୦୦୯ରେ ଦିନିକିଆ ସିରିଜ୍ ଜିତିଥିଲା । ସେହିପରି ନିଜ ମାଟିରେ ଭାରତ ଶେଷଥର ୨୦୧୫-୧୬ରେ ଦକ୍ଷିଣ ଆଫ୍ରିକା ଠାରୁ ସିରିଜ୍ ହାରିଥିଲା । ଚଳିତ ସିରିଜ୍ରେ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ପୂରା ଦମ୍ରେ ବଳ କଷାକଷି ହେଉଛନ୍ତି । କିଏ ଜିତିବ କହିବା ମୁସ୍କିଲ । କେବଳ ଏତିକି ଯେ ଏକ ମୁକାବିଲାପୂର୍ଣ୍ଣ ମ୍ୟାଚ୍ ଆଜି ଦେଖିବାକୁ ମିଳିବ ।
ଆଉ ଗୋଟିଏ ବିଶେଷ କଥା ହେଉଛି ୨୦୨୦ରୁ ନୂଆ ଢାଞ୍ଚାରେ ଲିଗ୍ ଭିତ୍ତିରେ ଦିନିକିଆ ସିରିଜ୍ ଖେଳାଯିବାର ଅଛି । ଏହି ଫର୍ମାଟରେ ୩ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ତେଣୁ କହିବାକୁ ଗଲେ ଭାରତ ଓ ଅଷ୍ଟ୍ରେଲିଆ ଶେଷଥର ପାଇଁ ୫ ମ୍ୟାଚ୍ର ସିରିଜ୍ ଖେଳୁଛନ୍ତି । ଏବେ ଦିଲ୍ଲୀରେ ପାଗ ସାମାନ୍ୟ ମେଘୁଆ ରହିଛି । ନଚେତ ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ପାଗ ଖୁବ୍ ଭଲ ।
ତେବେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ୍ ଫିଞ୍ଚଙ୍କ ତୁଳନାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଧିକ ଚାପରେ ଅଛନ୍ତି । କାରଣ ଦଳ ଟି-୨୦ ହାରି ସାରିଛି । ତେଣୁ ଦିନିକିଆ ସିରିଜ୍ ଜିତିଲେ ନିଜ ମାଟିରେ ଦଳର ସମ୍ମାନ ରହିବ ।
ଆଗାମୀ ବିଶ୍ୱ କପ୍ ପୂର୍ବରୁ ଭାରତ ପାଇଁ ଏହା ହେଉଛି ଶେଷ ଦିନିକିଆ । ଏହା ପରେ ମେ ୨୫ ତାରିଖରେ ନ୍ୟୁଜିଲାଣ୍ଡ ସହ ଏହାର ଅଭ୍ୟାସ ମ୍ୟାଚ୍ ରହିଛି । ପ୍ରାୟ ଅଢ଼େଇ ମାସର ବ୍ୟବଧାନ ରହିବ । ଅବଶ୍ୟ ତା ଭିତରେ ଦୁଇ ମାସ ଯାଏ ଖେଳିବାକୁ ପଡ଼ିବ ଆଇପିଏଲ୍ ।