ଚତୁର୍ଥ ଟେଷ୍ଟ : ଲାବୁସେନ୍‌ଙ୍କ ଶତକ ପ୍ରଥମ ପାଳିରେ ବଞ୍ଚାଇଦେଲା ଅଷ୍ଟ୍ରେଲିଆକୁ

ବ୍ରିସ୍‌ବେନ୍‌ : ମାର୍ନସ ଲାବୁସେନ୍‌ଙ୍କ ଶତକ ଆଜି ଅଷ୍ଟ୍ରେଲିଆକୁ ବଞ୍ଚାଇ ଦେଲା । ଗାବାରେ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ବୋଲର୍‌ ମାତ୍ର ୮୭ ରନ୍‌ରେ ଘରୋଇ ଦଳର ୩ ଓ୍ଵିକେଟ୍‌ ଝଡ଼ାଇ ଦେଇଥିଲେ । ତେବେ ଲାବୁସେନ୍‌ ଏବଂ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ମାନେ ଓ୍ଵିକେଟ୍‌ ପତନକୁ ରୋକି ଦେଇଥିଲେ । ଫଳରେ ଆଜି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ର ୫ଟି ଓ୍ଵିକେଟ୍‌ ହରାଇ ୨୭୪ ରନ୍‌ କରିଛି ।
ଆଜି ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ସ୍କୋର ୪ ରନ୍‌ ହୋଇଥିବା ବେଳେ ଓପ୍ନର ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କୁ ସିରାଜ ଆଉଟ୍‌ କରି ପ୍ରଥମ ସଫଳତା ଆଣିଥିଲେ ।

ଏହାପରେ ମାର୍କସ ହ୍ୟାରିସ୍‌ଙ୍କୁ ଶାର୍ଦ୍ଦୁଲ ଠାକୁର ଏବଂ ପରେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ଓ୍ଵାଶିଂଟନ୍ ସୁନ୍ଦର ଆଉଟ୍‌ କରି ଦେଇଥିଲେ । ତେବେ ମ୍ୟାଚ୍‌ର ମୋଡ଼ ବଦଳାଇଲେ ଲାବୁସେନ୍‌ । ସେ ୨୦୪ ବଲ୍‌ରେ ୧୦୮ ରନ୍‌ କରିବା ସହିତ ମାଥ୍ୟୁ େଓ୍ଵଡ୍‌ (୪୫ ରନ୍‌) ଏବଂ କ୍ୟାମରନ୍‌ ଗ୍ରୀନ୍‌ (ଅପରାଜିତ ୨୮ ରନ୍‌)ଙ୍କ ସହ ବଡ଼ ଭାଗିଦାରୀ କରିଥିଲେ । ଅଧିନାୟକ ଟିମ୍‌ ପେନ୍‌ ୩୮ ରନ୍‌ କରି ଅପରାଜିତ ଅଛନ୍ତି । ଲାବୁସେନ୍‌ଙ୍କୁ ଟି. ନଟରାଜନ୍‌ ଆଉଟ୍‌ କରିଛନ୍ତି ।

ଓ୍ଵାଶିଂଟନ୍‌ ସୁନ୍ଦର ଏବଂ ନଟରାଜନ ଆଜି ଭାରତ ପକ୍ଷରୁ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି । ଦଳକୁ ଫେରିଛନ୍ତି ଶାର୍ଦ୍ଦୁଲ ଠାକୁରକ ଏବଂ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ଵାଲ । ଆହତ ଯୋଗୁଁ ଏହି ମ୍ୟାଚ୍‌ରୁ ବୁମରା, ଅଶ୍ୱିନ୍‌, ବିହାରୀ ଓ ଜାଡେଜା ବାଦ୍‌ ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.