ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ସହ ଯୋଡ଼ି ହେଲା ରିଲାଏନ୍ସ

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛି ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ । ଭାରତୀୟ ଆଥଲେଟମାନଙ୍କ ପ୍ରଦର୍ଶନକୁ ଉଚ୍ଚସ୍ତରରେ ପହଞ୍ଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଦେଇ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା ରାଷ୍ଟ୍ରର ମାନ୍ୟତା ପ୍ରଦାନ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି । ଭବିଷ୍ୟତରେ ଭାରତରେ ଅଲିମ୍ପିକ କ୍ରୀଡା ଆୟୋଜନର ଲକ୍ଷ୍ୟ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ୍) ଏବଂ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ) ଏକ ଦୀର୍ଘସୂତ୍ରୀ ସହଭାଗିତା କରିବା ଲାଗି ଗତକାଲି ଘୋଷଣା କରିଛନ୍ତି । ଏଥିରେ ଆରଆଇଏଲ୍ ଏବଂ ଆଇଓଏ ମିଳିତ ଭାବେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଇଣ୍ଡିଆ ହାଉସ ସ୍ଥାପନ କରିବେ ।

ଆଇଓଏର ପ୍ରମୁଖ ସହଭାଗୀ ଭାବରେ ଆରଆଇଏଲ୍ ଭାରତୀୟ ଆଥଲେଟଙ୍କୁ ରାଜ୍ୟଗୋଷ୍ଠୀ କ୍ରୀଡା, ଏସୀୟ କ୍ରୀଡା ଏବଂ ଅଲିମ୍ପିକ କ୍ରୀଡା ସମେତ ଅନ୍ୟ କ୍ରୀଡ଼ା କାର୍ଯ୍ୟକ୍ରମରେ ସହଯୋଗ କରିବେ । ଏଥି ସହିତ ଅଲିମ୍ପିକ ହସପିଟାଲିଟି ହାଉସ୍ ଏକ କ୍ରୀଡା ପରମ୍ପରା ହୋଇଥବା ବେଳେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରଥମ ଅଲିମ୍ପିକ ହାଉସ୍ ଏକ ମାଇଲ ଖୁଣ୍ଟ ହେବ ।

ଆଇଓସି ସଦସ୍ୟ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିର୍ଦ୍ଦେଶିକା ଶ୍ରୀମତୀ ନିତା ଏମ୍ ଅମ୍ବାନି କହିଛନ୍ତି , ‘ବିଶ୍ୱ କ୍ରୀଡ଼ାରେ ଭାରତ ଏକ ବଡ଼ ଶକ୍ତି ହେଉ ଏହା ଆମ ପାଇଁ ସ୍ୱପ୍ନ ହୋଇ ରହିଛି । ସମଗ୍ର ଦେଶରେ ଯୁବ କ୍ରୀଡାବିତ୍ଙ୍କୁ ବିଶ୍ୱସ୍ତରର ଭିତ୍ତିଭୂମି ଏବଂ ସୁବିଧା ସୁଯୋଗ ଯୋଗାଇ ଦିଆଗଲେ ସେମାନେ ନିଶ୍ଚୟ ସଫଳ ହେବେ । ଆଇଓଏ ସହିତ ଆମର ସହଭାଗିତାରେ ରିଲାଏନ୍ସ ଫାଉଣ୍ଡେସନ୍ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆମେ ମଧ୍ୟ ୨୦୨୪ରେ ପ୍ୟାରିସ ଅଲମ୍ପିକ କ୍ରୀଡାରେ ପ୍ରଥମ ଇଣ୍ଡିଆ ହାଉସ୍ ସ୍ଥାପନ ନେଇ ଅତ୍ୟନ୍ତ ଉଲ୍ଲସିତ ରହିଛୁ । ଏହା ସମଗ୍ର ବିଶ୍ୱକୁ ଭାରତର ବିପୁଳ ପ୍ରତିଭା, ସାମର୍ଥ୍ୟ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପ୍ରଦର୍ଶିତ କରିବାକୁ ଏକ ବିରାଟ ସୁଯୋଗ ଯୋଗାଇ ଦେବ ।’

ଆଇଓଏ ମହାସଚିବ ରାଜୀବ ମେହଟା ଏଥଇପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଶ୍ରୀମତୀ ନିତା ଅମ୍ବାନିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ମେ ମାସରେ ଭାରତର ପ୍ରଥମ ‘ଅଲିମ୍ପିକ ଭାଲ୍ୟୁଜ ଏଜୁକେସନ ପ୍ରୋଗ୍ରାମ’ (ଓଭିଇପି) ଓଡ଼ିଶାରେ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଅଲିମ୍ପିକ୍ସର ମୂଲ୍ୟବୋଧ ସମ୍ପର୍କରେ ସମସ୍ତେ ଅବଗତ ହେବା ନିମନ୍ତେ ଶିକ୍ଷା ଓ କ୍ରୀଡାର ଦ୍ୱୈତ ଶକ୍ତିକୁ ସମ୍ମିଳିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.