ରୋହିତ ଓ ରାହୁଲଙ୍କ ଶତକ, ବିଶ୍ୱକପ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଅତି ସହଜରେ ୭ ଓ୍ଵିକେଟ୍‌ରେ ହରାଇଲା ଭାରତ

ଲଣ୍ଡନ୍‌ : ପୁଣି ରେକର୍ଡ଼ କଲେ ରୋହିତ ଶର୍ମା। ବିଶ୍ୱ କପ୍‌ରେ ଷଷ୍ଠ ଶତକ କରି ସଚିନ୍‌ ତେନ୍ଦୁଲକରଙ୍କ ସମକକ୍ଷ ହେଲେ । ରୋହିତ ଏବଂ କେ.ଏଲ୍‌ ରାହୁଲଙ୍କ ଶତକ ବଳରେ ଆଜି ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍‌ରେ ହରାଇ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ଭାରତ ୧୫ ପଏଣ୍ଟ ଲାଭ କରି ଲିଗ୍‌ ପର୍ଯ୍ୟାୟ ଶେଷ କରିଛି । ତେବେ ବର୍ତ୍ତମାନ ଚାଲିଥିବା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ଉପରେ ନିର୍ଭର କରୁଛି ଭାରତ ପଏଣ୍ଟ ତାଲିକାର ଏକ ନମ୍ବରକୁ ଆସିବ ନା ଦୁଇ ନମ୍ବରରେ ରହିବ । ଏହା ପରେ ସ୍ପଷ୍ଟ ହେବ ଭାରତ ଓ ଅଷ୍ଟ୍ରେଲିଆ କାହା ସହିତ ସେମିଫାଇନାଲ୍‌ରେ ଖେଳିବେ ।
ଆଜି ଟସ୍‌ ଜିତି ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ୍‌ରେ ୨୬୪ ରନ୍‌ କରିଥିଲା । ହେଲେ ଦୁଇ ଓପ୍ନର ରୋହିତ ଓ ରାହୁଲ ଚମତ୍କାର ବ୍ୟାଟିଂ କରି ବିଜୟଲକ୍ଷ୍ୟକୁ ଅତି ସହଜ କରି ଦେଇଥିଲେ । ରାହୁଲ ବିଶ୍ୱକପ୍‌ରେ ପ୍ରଥମ ଏବଂ ଦିନିକିଆରେ ଦ୍ୱିତୀୟ ଶତକ ହାସଲ କରିଥିଲେ । ସେ ୧୧୧ ରନ୍‌ (୧୧ ଚୌକା, ୧ ଛକା) କରି ଆଉଟ୍‌ ହୋଇଥିଲେ । ପରେ କୋହଲି ଓ ପାଣ୍ଡ୍ୟା ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଭାରତ ମାତ୍ର ୩ଟି ଓ୍ଵିକେଟ୍‌ ହରାଇ ୪୩.୩ ଓଭରରେ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା । କୋହଲି ୩୪ ରନ୍‌ କରି ଅପରାଜିତ ରହିଥିଲେ ।

ରୋହିତଙ୍କ ରେକର୍ଡ଼

ରୋହିତ ଶର୍ମା ୧୪ ଚୌକା ଓ ୨ ଛକା ମାରି ଚଳିତ ବିଶ୍ୱକପ୍‌ରେ ତାଙ୍କର ପଞ୍ଚମ ତଥା ମୋଟ୍‌ ଉପରେ ଷଷ୍ଠ ଶତକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ମୋଟ୍‌ ୬ଟି ବିଶ୍ୱ କପ୍‌ ଖେଳିଥିବା ସଚିନ୍‌ ତେନ୍ଦୁଲକର ସର୍ବାଧିକ ୬ଟି ଶତକ ହାସଲ କରିଥିଲେ । ସଚିନ୍‌ ୪୪ଟି ଇନିଂସ୍‌ ଖେଳି ୬ଟି ଶତକ କିଥିବା ବେଳେ ରୋହିତ ମାତ୍ର ୧୬ଟି ଇନିଂସ୍‌ରେ ଏହି ସଫଳତା ଲାଭ କରିଛନ୍ତି । ତେବେ ଆଜିର ଶତକ ପରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ସାଙ୍ଗାକାର ଗୋଟିଏ ବିଶ୍ୱ କପ୍‌ରେ ସର୍ବାଧିକ ୪ଟି ଶତକ ହାସଲ କରିଥିଲେ ।

ROHIT SHARMA-1
ରୋହିତ ଶର୍ମା ୮ଟି ଇନିଂସ୍‌ ଖେଳି ୫ଟି ଶତକ ସହ ମୋଟ୍‌ ୬୪୭ ରନ୍‌ ସ୍କୋର କରିଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ସେ ଶୀର୍ଷରେ ଅଛନ୍ତି । ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ଼ ତେନ୍ଦୁଲକରଙ୍କ ନାଁରେ ରହିଛି । ସେ ୨୦୦୩ ବିଶ୍ୱକପ୍‌ରେ ସର୍ବାଧିକ ୬୭୩ ରନ୍‌ ସଂଗ୍ରହ କରିଥିଲେ । ଯାହାକୁ ଭାଙ୍ଗିବାର ସୁଯୋଗ ରହିଛି ରୋହିତଙ୍କ ପାଖରେ । ଚଳିତ ଟୁର୍ଣ୍ଣାମେଣ୍ଟରେ ରୋହିତ ସର୍ବାଧିକ ଚୌକା ମଧ୍ୟ ମାରିଛନ୍ତି । ୮ଟି ପାଳିରେ ୬୭ଟି ଚୌକା ମାରିଛନ୍ତି ଏହି ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ । ଆଜି ରୋହିତ ତାଙ୍କ ଦିନିକିଆ ଆନ୍ତର୍ଜାତିକ କ୍ୟାରିୟର୍‌ର ୨୭ତମ ଶତକ କରିଛନ୍ତି ।
ଆହୁରି ମଧ୍ୟ ରୋହିତ ଓ ରାହୁଲ ପୁଣି ଥରେ ଓପନିଂ ଯୋଡ଼ିରେ ଶହେରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ସେମାନେ ନିଜେ କରିଥିବା ପୂର୍ବର ୧୮୦ ରନ୍‌ ଭାଗିଦାରୀ ରେକର୍ଡ଼କୁ ଭାଙ୍ଗି ଆଜି ୧୮୯ ରନ୍‌ ସଂଗ୍ରହ କରିଛନ୍ତି ।

KL RAHUL
କେ.ଏଲ୍‌ ରାହୁଲଙ୍କ ଶତକ
Leave A Reply

Your email address will not be published.