ଆଜି ମ୍ୟାଚ ପାଇଁ ସଂପୂର୍ଣ୍ଣ ଫିଟ୍‌ ରୋହିତ ଶର୍ମା, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯିବ। ୫ ଟିକିଆ ଟି-୨୦ ସିରିଜରେ ଭାରତ ସିରିଜ ୨-୧ରେ ଆଗୁଆ ରହିଛି । ଆଜି ମ୍ୟାଚ ଜିତି ସିରିଜ କବଜା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ତୃତୀୟ ମ୍ୟାଚରେ ମାଂସପେଶୀ ଟାଣି ହୋଇଯିବାରୁ ରିଟାୟର୍ଟ  ହର୍ଟ ହୋଇଥିବା ରୋହିତ ଶର୍ମା ଫିଟ୍ ଥିବା ଜଣାପଡିଛି । ଚତୁର୍ଥ ମ୍ୟାଚ୍ ପୂର୍ବରୁ ୨ଦିନ ବିଶ୍ରାମ ମିଳିଥିବାରୁ ରୋହିତ ସୁସ୍ଥ ହୋଇଥିବା ଟିମ୍ ମ୍ୟାନେଜମେଣ୍ଟ ଘୋଷଣା କରିସାରିଛି ।

ବିଶ୍ୱକପ ପୂର୍ବରୁ ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି ଖେଳାଳି । ବିଶେଷକରି ଦୀପକ ହୁଡା, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିଛି । ଚଳିତବର୍ଷ ବିଶ୍ୱକପ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଏହି ସିରିଜ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କରୁଛି । ବିଶେଷ କରି ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଛି ।

କେଲଇ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଇତି ମଧ୍ୟରେ ବଡ ଇନିଂସ ଖେଳିବାରେ ସଫଳ ହୋଇଛନ୍ତି । ନିକୋଲାସ ପୂରନଙ୍କ ବିଫଳତା ଦଳ ପାଇଁ ଚିନ୍ତାର କାରଣ ହୋଇଛି । ୱେଷ୍ଟଇଣ୍ଡିଜ ମ୍ୟାଚରେ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ବୋଲିଂ ଅଲ୍ରାଉଣ୍ଡର ଡୋମିନିକ ଡ୍ରେକ୍ସଙ୍କୁ ଖେଳିବାର ସୁଯୋଗ ମିଳିବା ଆଶା କରାଯାଉଛି । ଓଡିନ ସ୍ମିଥ୍ ମଧ୍ୟ ଦଳରେ ସ୍ଥାନ ବଜାୟ ରଖିବେ । ଫଳରେ ୱିକେଟ୍ କିପର ଡେଭନ ଥୋମାସ ଏକାଦଶରୁ ବାଦ ପଡ଼ିବେ ଓ ନିକୋଲାସ ପୂରନ ୱିକେଟ୍ କିପର ଦାୟିତ୍ୱ ତୁଲାଇବେ ।

ସୂଚନା ଅନୁସାରେ, ତୃତୀୟ ଟି-୨୦ ମ୍ୟାଚରେ ରୋହିତଙ୍କ ଅଣ୍ଟାରେ ଯନ୍ତ୍ରଣା ହେବାରୁ ସେ ରିଟାୟର୍ଟ ହଟ୍‌ ହୋଇ ମେଡିକାଲ ଟିମ୍ ସହ ପ୍ୟାଭିଲିୟନ ଚାଲି ଯାଇଥିଲେ। ଏହା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିଆଇ) ଟ୍ୱିଟ୍ କରି ରୋହିତଙ୍କ ଆଘାତ ବିଷୟରେ ସୂଚନା ଦେଇଥିଲା । ତେବେ ଏହି ମ୍ୟାଚରେ ୧୬୪ରନର ବିଜୟ ଲକ୍ଷକୁ ପିଛା କରି ସୂର୍ଯ୍ୟକୁମାର ଯାଦବଙ୍କ(୪୪ ବଲରୁ ୭୬ ରନ୍) ପାଳି ସାହାଯ୍ୟରେ ଭାରତ ବିଜୟ ହାସଲ କରି ନେଇଥିଲା।

Leave A Reply

Your email address will not be published.