ଦକ୍ଷିଣ ଆଫ୍ରିକା ବିପକ୍ଷ ସ୍କ୍ଵାର୍ଡରେ ସାମିଲ ହୋଇନାହାନ୍ତି ସଞ୍ଜୁ ସାମସନ, ହେଲେ ଷ୍ଟାଡିୟମ ବାହାରେ ଫ୍ୟାନ୍ସ ଚିଲାଉଛନ୍ତି ସଞ୍ଜୁ ସଞ୍ଜୁ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜିଠାରୁ ଟି-୨୦ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଟି-୨୦ ମ୍ୟାଚ୍‌ ଥିରୁଅନ୍ତନପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କରାଯିବ। ଏଥିପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଟିମରୁ ସଞ୍ଜୁ ସାମସନ ବାଦ୍‌ ପଡିଛନ୍ତି ହେଲେ ଷ୍ଟାଡିୟମ ବାହାରେ ସଞ୍ଜୁ ସାମସନଙ୍କ ନାମରେ ନାରାବାଜୀ ଲାଗିଛି। ଟିମ୍‌ ଇଣ୍ଡିଆ କେରଳରେ ପହଞ୍‌ଚିବା ପରେ ସଞ୍ଜୁ ସାମସନଙ୍କ ନାମ ଧରି ନାରାବାଜୀ ହୋଇଥିଲା।

ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ଖେଳଯିବ। ଏଥିପାଇଁ ଟିମ୍‌ ଘୋଷଣା ହୋଇଛି। ଏଥର ମଧ୍ୟ ଟିମରେ ସଞ୍ଜୁ ସାମସନ ସାମିଲ ହୋଇନାହାନ୍ତି। ସାମସନ ନ୍ୟୁଜିଲାଣ୍ଡ ଏ ବିପକ୍ଷରେ ଇଣ୍ଡିଆ ଏ ପାଇଁ ଅଧିନାୟକ ପଦ ସମ୍ଭାଳିଥିଲେ। ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ତିନିଟି ଦିନିକିଆ ମ୍ୟାଚକୁ ୩-୦ରେ ଜିତିଥିଲେ ।

ସଞ୍ଜୁ ସାମସନ ଭାରତ ପାଇଁ ଏପର୍ଯ୍ୟନ୍ତ ୭ଟି ଦିନିକିଆ ଏବଂ ୧୬ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଘରୋଇ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଇଣ୍ଟରନ୍ୟାସନାଲ କ୍ରିକେଟରେ ବେଶ୍‌ କିଛି ଭଲ ପ୍ରଦର୍ଶନ କରିନାହାନ୍ତି। ସାମସନ ୧୬ଟି ଟି-୨୦ ମ୍ୟାଚରେ ୨୧.୧୪ ପ୍ରତିଶତ ଏବଂ ୧୩୫.୧୫ ଷ୍ଟ୍ରାଇକ ରେଟରେ ୨୯୬ ରନ୍‌ କରିଛନ୍ତି।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଦୀପକ ଚହର, ଯଶପ୍ରୀତ ବୁମରା, ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମ୍ମଦ।

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେପ୍ଟେମ୍ବର ୨୮ରେ ପ୍ରଥମ ଟି-୨୦ ମୁକାବିଲା ଖେଳାଯିବ। ଦ୍ଵିତୀୟ ମୁକାବିଲା ଅକ୍ଟୋବର ୨ ଗୌହାଟୀ ଏବଂ ତୃତୀୟ ଟି-୨୦ ଅକ୍ଟୋବର ୪ ଇନ୍ଦୋରରେ ଖେଳାଯିବ। ଏହା ପରେ ଲକ୍ଷ୍ନୌରେ ଅକ୍ଟୋବର ୬ରେ ପ୍ରଥମ ଦିନିକିଆ, ଅକ୍ଟୋବର ୯ରେ ରାଞ୍ଚିରେ ଦ୍ଵିତୀୟ ଦିନିକିଆ ଏବଂ ଅକ୍ଟୋବର ୧୧ରେ ଦିଲ୍ଲୀରେ ତୃତୀୟ ଦିନିକିଆ ଖେଳାଯିବ। ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟରେ ଥିରୁଅନନ୍ତପୁରମରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ନେଇ ଆଶଙ୍କା ଦେଖାଦେଇଛି। ଦୀର୍ଘ ୩ ବର୍ଷ ପରେ ଏଠାରେ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳାଯିବାକୁ ନେଇ ଫ୍ୟାନ୍ସ ଖୁସି ରହିଛନ୍ତି। କିନ୍ତୁ ଯଦି ବର୍ଷା ହୁଏ ତେବେ ଫ୍ୟାନ୍ସଙ୍କ ଆଶା ଆଶଙ୍କାରେ ରହିଯିବ।

ମୌସୁମୀ ଯୋଗୁଁ ଭାରତର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେରଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। କିଛି ସ୍ଥାନରେ ବାଦଲ ଘୋଡାଇ ରହିଛି। ତେବେ ସନ୍ଧ୍ୟାରେ ବର୍ଷା କମ୍‌ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଖବର ମିଳିଛି।

Also Read : ଅଟୋଗ୍ରାଫ ଦେଉଥିବା ବେଳେ ଗୋଡରେ ପାକ୍‌ ପତାକା ଉଠାଇଲେ ମହମ୍ମଦ ରିଜଓ୍ଵାନ, ଭିଡିଓ ଭାଇରଲ

Leave A Reply

Your email address will not be published.