ଟି-୨୦ ବିଶ୍ୱକପ୍‌ରେ ଦମ୍‌ଦାର ବୋଲିଂ କରି ଚମକାଇ ଦେଇଥିବା ଶାହିନ୍‌ ଆଫ୍ରିଦିଙ୍କ ସହ ଶାହିଦ ଆଫ୍ରିଦିଙ୍କ ସମ୍ପର୍କ କ’ଣ?

ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ରବିବାର ଦିନ ପାକିସ୍ତାନଠାରୁ ଶୋଚନୀୟ ପରାସ୍ତ ହୋଇଛି ଭାରତ। ଗତକାଲିର ମ୍ୟାଚ୍‌କୁ ଏକତରଫା ଭାବେ ନିଜ ଆଡ଼କୁ ନେଇଯାଇଥିଲା ପାକିସ୍ତାନ। ଫଳରେ ଖୁବ୍‌ ସହଜରେ ବିଜୟ ହାସଲ କରିଥିଲା। ତେବେ କାଲିର ମ୍ୟାଚ୍‌ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଯୁବ ପାକ୍‌ କ୍ରିକେଟର ଶାହିନ୍‌ ଶାହ ଆଫ୍ରିଦି। ପାକିସ୍ତାନର ଏହି ୨୧ ବର୍ଷୀୟ ବୋଲର ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତ ଟିମ୍‌ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲେ। ଭାରତର ଓପନ୍‌ର କେଏଲ୍‌ ରାହୁଲ ଓ ରୋହିତ ଶର୍ମାଙ୍କୁ ସେ ଆଉଟ୍‌ କରିବାରେ ସଫଳ ହୋଇଥିଲେ। ଫଳରେ ତାଙ୍କ ଆଡ଼କୁ ସମସ୍ତଙ୍କର ନଜର ଯାଇଥିଲା।

ଶାହିନ୍‌ ଶାହ ଆଫ୍ରିଦିଙ୍କ ବୋଲିଂ ଓ ଷ୍ଟାଇଲ୍‌ଙ୍କୁ ଦେଖି କେହି କେହି ତାଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ପୁଅ ବୋଲି ମଧ୍ୟ କହିଥିଲେ। କିନ୍ତୁ ପ୍ରକୃତରେ ଶାହିନ୍‌ ତାଙ୍କ ପୁଅ ନୁହେଁ କି ଶାହିଦ ଆଫ୍ରିଦିଙ୍କ ସହ ତାଙ୍କର ରକ୍ତ ସମ୍ପର୍କ ବି ନାହିଁ। ମାତ୍ର ଖବର ମୁତାବକ ସେ ଖୁବ୍‌ଶୀଘ୍ର ଶାହିଦ ଆଫ୍ରିଦିଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି। ଶାହିଦ ଆଫ୍ରିଦିଙ୍କ ଝିଅ ଅକ୍‌ସାକୁ ବିବାହ କରିବାକୁ ଯାଉଛନ୍ତି ଏହି ଉଦୀୟମାନ କ୍ରିକେଟର। କିଛି ଦିନ ତଳେ ଏନେଇ ନିଜେ ଶାହିଦ ଆଫ୍ରିଦି ଟ୍ଵିଟ୍‌ କରି ସୂଚନା ଦେଇଥିଲେ।

ଗତ ମାର୍ଚ୍ଚ ମାସରେ ଶାହିଦ ଆଫ୍ରିଦି କହିଥିଲେ ଯେ ତାଙ୍କ ବଡ଼ ଝିଅ ଅକ୍‌ସା ଜାତୀୟ କ୍ରିକେଟ୍‌ ଦଳର ବୋଲର ଶାହିନ ଶାହ ଆଫ୍ରିଦିଙ୍କ ସହ ନିର୍ବନ୍ଧ ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ଶାହିନଙ୍କ ପରିବାର ପକ୍ଷରୁ ତାଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏହି ପ୍ରସ୍ତାବରେ ସେ ଖୁବ୍‌ ଖୁସି। ଯୋଡ଼ି ସ୍ୱର୍ଗରେ ତିଆରି ହୋଇଥାଏ। ଯଦି ଆଲ୍ଲା ଚାହାନ୍ତି ତେବେ ତାଙ୍କ ଝିଅ ସହ ଶାହିନଙ୍କ ବିବାହ ହେବ। ଏଥିସହ ସେ ଶାହିନ୍‌ଙ୍କ ସଫଳତା ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ।

ଅନ୍ୟପଟେ ଶାହିଦ ଆଫ୍ରିଦିଙ୍କର ଏହି ଟ୍ଵିଟ୍‌ର ଜବାବରେ ଶାହିନ୍‌ ଶାହ ଆଫ୍ରିଦି ମଧ୍ୟ କମେଣ୍ଟ କରିଥିଲେ। ଏହି ଟ୍ଵିଟ୍‌କୁ ରିଟ୍ଵିଟ୍‌ କରି ସେ ଲେଖିଥିଲେ, ‘ଅଲହମ୍‌ଦୁଲିଲ୍ଲାହ, ଆପଣଙ୍କ ଆଶୀର୍ବାଦ ପାଇଁ ଧନ୍ୟବାଦ। ଆଲ୍ଲା ଆମ ପାଇଁ ସବୁ ଜିନିଷକୁ ସହଜ କରନ୍ତୁ, ଆପଣ ପୂରା ଦେଶର ଗର୍ବ’।

ଅନ୍ୟପଟେ ଶାହିନ୍‌ଙ୍କ ବାପା ମଧ୍ୟ ଏହି ପ୍ରସ୍ତାବ ଦେଇଥିବା ସ୍ୱୀକାର କରିଛନ୍ତି। ତେବେ ଶାହିନ୍‌ ଓ ଅକ୍‌ସାଙ୍କ ବିବାହ କେବେ ହେବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.