କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି, ଓସଜା ପକ୍ଷରୁ ଶ୍ରାଦ୍ଧ ଦିବସ ପାଳିତ, ଉନ୍ମୋଚିତ ହେଲା ସ୍ମରଣିକା

ଭୁବନେଶ୍ବର (କେନ୍ୟୁଜ୍‌): ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ୨୨ତମ ଶ୍ରାଦ୍ଧ ସଭା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଅପରାହ୍ଣରେ ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବ୍ ଦେବାଶିଷ ମହାନ୍ତି ପ୍ରେସ୍ ବକ୍ସରେ ଆୟୋଜିତ ହୋଇଥିଲା ଏହି ନିରାଡ଼ମ୍ବର ଉତ୍ସବ । ଡକ୍ଟର ପଟ୍ଟନାୟକ ଖେଳ ସାମ୍ବାଦିକ ଭାବେ ଯେତିକି ପରିଚିତ ନଥିଲେ ଜଣେ ଭଲ ମଣିଷ ଓ ତାଙ୍କ ମଣିଷ ପଣିଆ ପାଇଁ ଅଧିକ ସ୍ମରଣୀୟ ବୋଲି ବକ୍ତାମାନେ ଏହି ଅବସରରେ ପ୍ରକାଶ କରିଥିଲେ।

ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା) ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଶୋକ ବାବୁଙ୍କ ପାଇଁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଏକାଠି ହୋଇ ପାରିଛି ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଥମଥର ପାଇଁ ଅଶୋକ ପଟ୍ଟନାୟକଙ୍କ ପରିବାର ଲୋକେ ଏଥିରେ ସାମିଲ ହୋଇଥିଲେ । ପୁଅ ଅନୁପମ ପଟ୍ଟନାୟକ ଏହି ଶ୍ରାଦ୍ଧ ସଭାରେ ଯୋଗ ଦେଇ ନିଜ ବାପାଙ୍କ ସମ୍ପର୍କରେ ବେଶ୍‌ କିଛି ଅଜଣା କଥା କହିଥିଲେ । ସେ ଛୋଟ ଥିଲା ବେଳେ ବାପାଙ୍କର ମୃତ୍ୟୁ ହୋଇଥିବାରୁ ଅନେକ କଥା ସେ ଜାଣିନଥିବା କହିଥିଲେ । ତେବେ ଅଶୋକ ପଟ୍ଟନାୟକଙ୍କ ସହ କାମ କରିଥିବା ବନ୍ଧୁମାନଙ୍କ ଠାରୁ ଅନେକ କଥା ନିଜ ବାପାଙ୍କ ବିଷୟରେ ଜାଣିବାକୁ ପାଇଲେ ବୋଲି ଅନୁପମ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜକୁ ଧନ୍ୟ ମନେ କରିଥିଲେ। ତାଙ୍କ ପିତାଙ୍କ ପ୍ରତି ଥିବା ସମସ୍ତଙ୍କ ଭଲପାଇବା ଓ ଶ୍ରଦ୍ଧା ସମ୍ପର୍କରେ ଅବଗତ ହେବା ପରେ ସେ ଅଭିଭୂତ ହୋଇ ଯାଇଥିଲେ।

ashok

ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫ୍ଆଇ)ର ଉପସଭାପତି ସଂବିତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି କେ ରବି, ଉପସଭାପତି ହିମାଂଶୁ ପତି ମିଶ୍ର, ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି, ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ, ତପନ ସ୍ବାଇଁ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, କାର୍ଯ୍ୟକାରୀ ସଦସ୍ୟ ସନାତନ ପାଣି, ଦୀପ୍ତି ରଂଜନ ସାମଲଙ୍କ ସହିତ ବରିଷ୍ଠ ସଦସ୍ୟ ରଜନୀକାନ୍ତ ଶତ୍ରୁଶଲ୍ୟ, ସର୍ବେଶ୍ବର ମହାନ୍ତି, ଶକ୍ତି ପ୍ରକାଶ ନନ୍ଦ, ବିମଳ କୁମାର ରାଉଳ, ରଂଜନ କୁମାର ରାୟ, ଦେବୀ ପ୍ରସନ୍ନ ପାଣିଗ୍ରାହୀ, ମହେନ୍ଦ୍ର ସାହୁ, ଚକ୍ରଧର ମାଝୀ, ତୁଷାର ସେନାପତି ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଗତ ଜୁଲାଇ ୨ ତାରିଖ ବିଶ୍ବ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ ପ୍ରସ୍ତୁତ ଓସ୍ଜା ସ୍ମରଣିକା ଏହି ଅବସରରେ ଉନ୍ମୋଚିତ ହୋଇଥିଲା।

ashok-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.