ତରାନ୍ନା ଓ ଦୁର୍ଗାଦତ୍ତ ପାଇବେ ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ଉଦୀୟମାନ ମହିଳା କ୍ରିକେଟର୍ ତରାନ୍ନା ପ୍ରଧାନ ଏବ˚ ରାଜ୍ୟର ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ଦୁର୍ଗାଦତ୍ତ ଦାସଙ୍କୁ ବିଗତ ବର୍ଷର ‘ସରୋଜ ମହାସୁଆର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ୧୭ ବର୍ଷ ଧରି ପ୍ରଦାନ କରାଯାଉଥିବା ଏହି ସମ୍ମାନର ଯୁବ କ୍ରିକେଟର ବର୍ଗ ଲାଗି ତରାନ୍ନା ଏବ˚ ଶ୍ରେଷ୍ଠ ଅମ୍ପାୟାର ଭାବେ ଦୁର୍ଗାଦତ୍ତଙ୍କୁ ମନୋନୀତ କରାଯାଇଛି। ସରୋଜ ମହାସୁଆର ସ୍ମୃତି କମିଟି ଏବ˚ କିଛି ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ନେଇ ଗଠିତ ପୁରସ୍କାର କମିଟି ଉଭୟଙ୍କୁ ମନୋନୀତ କରିଛନ୍ତି। କରୋନା ପାଇଁ ସ୍ଥଗିତ ଥିବା ୨୦୨୦ ମସିହାର ଏହି ପୁରସ୍କାର ଉତ୍ସବ ଫେବ୍ରୁଆରୀ ୨୧ ତାରିଖ ରବିବାର ଦିନପୁରୁଣା ଭୁବନେଶ୍ବରସ୍ଥିତ ଟାଉନ୍ କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ସ୍ମୃତି କମିଟି ଆବାହକ ମନୋଜ ମହାପାତ୍ର ସୂଚନା ଦେଇଛନ୍ତି।

ଓଡ଼ିଶା ପାଇଁ ନିୟମିତ ଖେଳି ଆସୁଥିବା ୨୦ ବର୍ଷୀୟ ଅଲରାଉଣ୍ଡର୍ ତରାନ୍ନା ଗତ ୨୦୧୮-୧୯ ଋତୁରେ ମହିଳା ଚାଲେଞ୍ଜର୍ସ ଟ୍ରଫିରେ ଇଣ୍ଡିଆ ବ୍ଲୁ ପାଇଁ ଖେଳିବାର ସୌଭାଗ୍ୟ ପାଇଥିଲେ। ନିଜ ମଧ୍ୟମଗତି ବୋଲିଂ ଜରିଆରେ ୨୩ ବର୍ଷରୁ କମ୍ ବର୍ଗରେ ସୀମିତ ଓଭରରେ ୧୩ ମ୍ୟାଚ୍ରୁ ୨୦ ୱିକେଟ୍ ଏବଂ ୧୯ ବର୍ଷରୁ କମ୍ ଦିନିକିଆରେ ୮ ମ୍ୟାଚ୍ରୁ ସର୍ବାଧିକ ୧୨ ୱିକେଟ୍ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ଗାୟତ୍ରୀ ପ୍ରଧାନଙ୍କ କନ୍ୟା ତରାନ୍ନା ଭୁବନେଶ୍ବର ଇନ୍ଦିରା ମଇଦାନରେ ପ୍ରଶିକ୍ଷକ କ୍ଷୀରୋଦ ବେହେରାଙ୍କ ଅଧୀନରେ ତାଲିମ ନେଇଛନ୍ତି।

ସେହିଭଳି ୨୦୧୨ ମସିହାରୁ ଓସିଏ ପ୍ୟାନେଲ୍ ଅମ୍ପାୟାର୍ ଥିବା ଦୁର୍ଗାଦତ୍ତ ଦାସ ୨୦୧୯ ମସିହାରେ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର ହେବାର ଗୌରବ ଅର୍ଜନ କରିଥିଲେ। ଏପର୍ଯ୍ୟନ୍ତ ବିସିସିଆଇର ସିନିୟର୍ ମହିଳା ଟି-୨୦, ବିଜୟ ମର୍ଚ୍ଚାଣ୍ଟ ଟ୍ରଫି, କୁଚବେହାର ଟ୍ରଫି, ୨୩ ଓ ୧୯ ବର୍ଷରୁ କମ୍ ମହିଳା ଟି-୨୦ ପ୍ରତିଯୋଗିତାରେ ୫୫ ମ୍ୟାଚ୍ ପରିଚାଳନା କରିଛନ୍ତି। ଓସିଏ ଅମ୍ପାୟାର୍ ଭାବେ ୨୦୦ରୁ ଊର୍ଦ୍ଧ୍ୱ ମ୍ୟାଚ୍ ପରିଚାଳନା କରି ସାରିଛନ୍ତି।
ସୂଚନାଯୋଗ୍ୟ, ଜଣାଶୁଣା ଅମ୍ପାୟାର ସରୋଜ ମହାସୁଆର ୨୦୦୨ ମସିହାରେ କଟକରେ ଅନ୍ତଃଜିଲା ପ୍ରତିଯୋଗିତାର ଏକ ମ୍ୟାଚ୍ ପରିଚାଳନା କରି ଭୁବନେଶ୍ବର ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କରି ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.