ସିଡନୀ ବଦଲା ମେଲବର୍ଣ୍ଣରେ ନେଲା ଭାରତ, ବକ୍ସିଂ ଡେ ଟେଷ୍ଟରେ ହାସଲ କଲା ଐତିହାସିକ ବିଜୟ, ୮ ୱିକେଟରେ କଙ୍ଗାରୁ ଟିମକୁ ଦେଲା ମାତ୍

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଆଜିଙ୍କ୍ୟ ରାହାଣେଙ୍କ ଶତକ ଏବଂ ଟିମ୍ ବୋଲରଙ୍କ ଯୋଗୁଁ ଭାରତକୁ ଏହି ବିଜୟ ମିଳିଛି। ଫଳରେ ଲଜ୍ଜାଜନକ ଭାବେ ହାରିଥିବା ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଏହାସହ ସିରିଜକୁ ମଧ୍ୟ ଭାରତ ୧-୧ କରି ବରାବର କରିନେଇଛି।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୩୨୬ରନ୍ କରିଥିଲା । ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଅଧିନାୟକତ୍ବ କରିଥିବା ଆଜିଙ୍କ୍ୟ ରାହାଣେଙ୍କ ଲଢୁଆ ଶତକୀୟ ଇନିଂସ ଓ ରବିନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ବଦଳରେ ଭାରତ ଅଷ୍ଟ୍ରେଲିଆଠୁ ୧୩୧ ରନ୍ ଆଗରେ ରହିଥିଲା ।

test match

ଦ୍ୱିତୀୟ ଇନିଂସ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦଳୀୟ ସ୍କୋର ୪ ରନ୍ ଥିବା ବେଳେ ଜୋଏ ବର୍ଣ୍ଣସ୍ ଆଉଟ ହୋଇଥିଲେ । ସେହିପରି ଏମ ଲାବୁସେନ ୨୮ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ଓ୍ୱାଡେ ୪୦, ଷ୍ଟିଭ୍ ସ୍ମିଥ୍ ୮, ଟ୍ରାଭିସ୍ ହେଡ୍ ୧୭ ଓ ଟିମ୍ ପେନ୍ ୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଗତକାଲି ଖେଳ ଶେଷ ସୁଦ୍ଧା କ୍ରିଜରେ କ୍ୟାମରନ୍ ଗ୍ରୀନ ୧୭ ଓ ପ୍ୟାଟ୍ କ୍ୟୁମିନ୍ସ ୧୫ ରନରେ ବ୍ୟାଟିଂ ଜାରି ରଖିଥିଲେ ।

ଆଜି ଦିନର ଖେଳ ଆରମ୍ଭରୁ ଅଷ୍ଟ୍ରେଲିଆ ଟିମର ଲଗାତର ଭାବେ ଓ୍ୱିକେଟ୍ ପଡିଥିଲା । ଯାହାଫଳରେ ଅଷ୍ଟ୍ରେଲିଆ ଟିମ୍ ମୋଟ ୨୦୦ ରନ୍ କରିବାର ସମର୍ଥ ହୋଇଥିଲେ ।  ସେପଟେ ୭୦ ରନର ବିଜୟ ଲକ୍ଷ୍ୟକୁ ଭାରତ ସହଜରେ ପିଛା କରିନେଇଥିଲା । ଦଳ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ ୫ ରନ୍ ଓ ଚେତଶ୍ୱର ପୂଜାରା ୩ ରନ୍ କରି ଆଉଟ୍ ହୋଇଥିଲେ । ତେବେ ଶୁଭମନ ଗିଲ୍ ଓ ଆଜିଙ୍କ୍ୟ ରାହାଣେ ସ୍ଥିତି ସମ୍ଭାଳି ଭାରତକୁ ବିଜୟ ଅଭିମୁଖେ ନେଇଥିଲେ । ଫଳରେ ଦଳ ୮ ଓ୍ୱିକେଟ୍ ଥାଇ ମ୍ୟାଚ୍ ଜିତିନେଇଥିଲା । ରାହାଣେ ୨୭ ରନ୍ କରିଥିବା ବେଳେ ଶୁଭମନ୍ ୩୫ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.