ଇଂଲଣ୍ଡ ବିପକ୍ଷରେ ୭ ୱିକେଟରେ ଟି-୨୦ ବିଶ୍ବକପ ଓ୍ଵାର୍ମଅପ୍ ମ୍ଯାଚ ଜିତିଲା ଇଣ୍ଡିଆ, ଟିମର ଏମାନେ ହେଉଛନ୍ତି ଦୁର୍ବଳତା

ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ବକପ ଓ୍ଵାର୍ମ ଅପ୍ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ଇଶାନ କିଶନ ଏବଂ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଇଂଲଣ୍ଡକୁ ଧୂଳି ଚଟାଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୮ ରନ କରିଥିଲା। ଦଳ ପକ୍ଷରୁ ବେୟାରଷ୍ଟୋ ୪୯ ଓ ମୋଇନ ଅଲ୍ଲୀ ଅପରାଜିତ ୪୩ ରନ କରିଥିଲେ। ଜବାବରେ ଭାରତ ଇଶାନ କିଶନ (୭୦ ରିଟାୟର୍ଡ ହଟ୍) ଓ କେଏଲ ରାହୁଲଙ୍କ ୫୧ ରନ ବଳରେ ୧୯ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଋଷଭ ପନ୍ତ ୨୯ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ରନରେ ଅପରାଜିତ ଥିଲେ। ଅଧିନାୟକ ବିରାଟ କୋହଲି ୧୧ ରନ କରିଥିଲେ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ଜୋନି ବେୟାରଷ୍ଟୋ ସର୍ବାଧିକ ୪୯ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିୟାମ ଲିଭିଙ୍ଗଷ୍ଟୋନ ୩୦, ମୋଇନ ଅଲ୍ଲୀ ଦ୍ରୁତ ଅପରାଜିତ ୪୩ ରନର ଇନିଂସ ଖେଳିଛନ୍ତି। ଭାରତ ପକ୍ଷରୁ ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇଛନ୍ତି। ଯଶପ୍ରୀତ ବୁମରା ଓ ରାହୁଲ ଚହର ପ୍ରତ୍ୟେକଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି। ରବିଚନ୍ଦ୍ରନ ଅଶ୍ବିନଙ୍କୁ କୌଣସି ୱିକେଟ ମିଳିନାହିଁ। ସେହିପରି ଭୁବନେଶ୍ବର ମାତ୍ର ୪ ଓଭରରେ ୫୪ ରନ୍ ଦେଇ କୌଣସି ୱିକେଟ ନେଇନାହାନ୍ତି।

ମ୍ୟାଚ ସରିବା ପରେ ପୂର୍ବଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ମ୍ୟାଚକୁ ନେଇ କିଛି ଦୁର୍ବଳତା ବିଷୟରେ ଚର୍ଚ୍ଚା କରିଛନ୍ତି। ପାର୍ଥିବ ହାର୍ଦ୍ଦିକଙ୍କୁ କିଛି ମ୍ୟାଚରେ ବୋଲିଂ ନକରିବା ପାଇଁ କହିଥିବା ବେଳେ ଭୁବନେଶ୍ବର କୁମାରଙ୍କ ପାଇଁ ଚିନ୍ତା କରିଛନ୍ତି। ଭୁବନେଶ୍ବର କୁମାରଙ୍କ ଯେପରି ଆଇପିଏଲରେ ଲୟରେ ଥିଲେ ଏବେ ସେମିତି ନାହାନ୍ତି ବୋଲି ପାର୍ଥିବ କହିଛନ୍ତି।

ଆଇପିଏଲ ୨୦୨୧ ସରିବା ପରେ ଆଜିଠାରୁ ଓମାନର ମସ୍କଟଠାରେ ଟି-୨୦ ବିଶ୍ବକପ୍ ଆରମ୍ଭ ହେଉଛି। ମ୍ୟାଚ୍‌ଗୁଡ଼ିକ ଓମାନ ଏବଂ ୟୁଏଇରେ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟରେ ସୁପର ୧୨ ଟିମ୍ ପରେ ଅନ୍ୟ ୪ଟି ଟିମ୍ ପାଇଁ ଆଜି କ୍ବାଲିଫାୟର ରାଉଣ୍ଡ ଆରମ୍ଭ ହେବ। ୧୬ ଦଳୀୟ ପ୍ରତିଯୋଗିତାରେ ମୋଟ ୪୫ ମ୍ୟାଚ୍ ଖେଳାଯିବ।

ଏଥର ବିଶ୍ବକପରେ ମୋଟ ୪୨ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ବିଜେତା ୧୨ କୋଟି ଏବଂ ଉପବିଜେତା ୬ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପାଇବ। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସଫଳତମ ଦଳ ହେଉଛି ୱେଷ୍ଟଇଣ୍ଡିଜ୍ (୨)। ଭାରତ (୨୦୦୭), ପାକିସ୍ତାନ (୨୦୦୯), ଇଂଲଣ୍ଡ (୨୦୧୦) ଓ ଶ୍ରୀଲଙ୍କା (୨୦୧୪) ଥରେ ଲେଖାଏଁ ଏହାକୁ ଜିତିଛନ୍ତି। ୱେଷ୍ଟଇଣ୍ଡିଜ୍ ଏଥର ଟ୍ରଫି ବଜାୟ ରଖିବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅନ୍ୟତମ ଦାବିଦାର ଭାରତ ଦ୍ବିତୀୟ ଥର ପାଇଁ ବିଜେତା ହେବା ଲାଗି ଚେଷ୍ଟା କରିବ।

Leave A Reply

Your email address will not be published.