ଆଜି ଭାରତ ଓ ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦: ସମ୍ମାନ ବଞ୍ଚାଇବା ପାଇଁ ଖେଳିବ ନ୍ୟୁଜିଲାଣ୍ଡ

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଆଜି ନ୍ୟୁଜିଲାଣ୍ଡ ସହିତ ତୃତୀୟ ଟି-୨୦ ମ୍ୟାଚ ଖେଳିବ। ଟିମ୍‌ ଇଣ୍ଡିଆ ଏହି ସିରିଜରେ ୨-୦ ବିଜୟ ହାସଲ କରିଛି। ଆଜିର ମ୍ୟାଚକୁ କ୍ଲିନ ସୁଇପ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟି-୨୦ ବିଶ୍ବକପ୍ ପରାଜୟର ପ୍ରତିଶୋଧ ନେଇପାରିବ। ଆଉ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ।

ପ୍ରଥମ ଦୁଇ ମୁକାବିଲା ଜିତିବା ପରେ ଭାରତ ଅବଶ୍ୟ ଶୃଙ୍ଖଳା ଜିତି ସାରିଛି। ତେବେ ରୋହିତ ନିଜ ଟିମରେ କିଛି ପରିବର୍ତ୍ତନ କରିପାରନ୍ତି। ପ୍ରଥମ ଟି-୨୦ରେ ଦୁଇଜଣ ଖେଳାଳିଙ୍କ ପ୍ରଦର୍ଶନ ବହୁତ ଖରାପ ରହିଛି। ଫଳରେ ଏହିଦୁଇ ଜଣ ମ୍ୟାଚରୁ ବାଦ୍‌ ପଡିପାରନ୍ତି। ଦୀପକ ଚହର କିମ୍ବା ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଅବେଶ ଖାନଙ୍କ ଖେଳିପାରନ୍ତି। ସେହିଭଳି ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଋତୁରାଜ ଗାଏକ୍ବାଡଙ୍କୁ ବି ସୁଯୋଗ ମିଳିପାରେ। ଋଷଭ ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଧ୍ୟ ଖେଳାଯାଇପାରେ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ଜିତି ସିରିଜ ସିଲ୍ କରିଛି ଭାରତ । ଭ୍ରମଣକାରୀ ଦଳର ୧୫୪ ରନ୍ ଲକ୍ଷ୍ୟକୁ ୧୬ ବଲ୍ ବାକି ଥାଇ ହାସଲ କରିନେଇଛି ଭାରତ । କେ ଏଲ୍ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ଦେଖାଇଛନ୍ତି ଜବରଦସ୍ତ ଜଲଓ୍ବା। ଉଭୟ ଖେଳିଛନ୍ତି ବିସ୍ଫୋରକ ଅର୍ଦ୍ଧ ଶତକୀୟ ଇନିଂସ। ମାତ୍ର ୪୯ ବଲରେ କେ.ଏଲ୍ ରାହୁଲ ଖେଳିଛନ୍ତି ଧୂଆଁଧାର ୬୫ ରନର ପାଳି । ଭାରତ ଟସ୍ ଜିତି ପ୍ରଥମ ମ୍ୟାଚ୍ ଭଳି ନେଇଥିଲା ବୋଲିଂ ନିଷ୍ପତ୍ତି । ଦ୍ରୁତ ଆରମ୍ଭ ସତ୍ତ୍ବେ ବଡ଼ ସ୍କୋର ଲକ୍ଷ୍ୟରେ ଥିବା ନ୍ୟୁଜିଲ୍ୟାଣ୍ଡ ୬ ଓ୍ବିକେଟ ହରାଇ ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆରମ୍ଭରୁ ପ୍ରଭାବ ବିସ୍ତାର ସତ୍ତ୍ୱେ ୩୧ ରନରେ ଚହରଙ୍କ ଶିକାର ବନିଥିଲେ ଗୁପତିଲ । ଚେଷ୍ଟା ସତ୍ତ୍ବେ କେହି ବି ହାସଲ କରିପାରିନଥିଲେ ଅର୍ଦ୍ଧ ଶତକ । ଡେବ୍ୟୁ ମ୍ୟାଚରେ ନିଜ ପୂରା କୋଟା ବୋଲିଂରେ ହର୍ଷଲ ପଟେଲ ପାଇଛନ୍ତି ସର୍ବାଧିକ ୨ ଓ୍ବିକେଟ୍। ଭୁବି, ଚହର, ଅକ୍ସର, ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡକୁ ୧୫୩ ରନରେ ଅଟକାଇଥିଲେ। ୧୫୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୭ ଓ୍ବିକେଟରେ ମ୍ୟାଚ୍ ଜିତିନେଇ ପେଟିଏମ୍ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ ।

ଟିମ୍‌ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଏ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ( ଓ୍ଵିକେଟକିପର), ରବିଚନ୍ଦ୍ରନ ଅଶ୍ୱିନୀ, ଅକ୍ଷୟ ପଟେଲ, ଅବେଶ ଖାନ, ୟୁଜବେନ୍ଦ୍ର ଚହଲ ଏବଂ ହର୍ଷଲ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.