ଆଜିଠୁ ବୁଧେଇ ଓଷା ଆରମ୍ଭ, ସନ୍ତାନ ସନ୍ତତି ମାନଙ୍କ ଶୁଭ ମନାସୀ ମହିଳାମାନେ ନିଷ୍ଠାର ସହ ରଖନ୍ତି ବ୍ରତ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବୁଧେଇ ଓଷା ବା ବ୍ରତ ଆରମ୍ଭ। ଓଡ଼ିଶାରେ ପାଳନ ହେଉଥିବା ଓଷା ମାନଙ୍କ ମଧ୍ଯରେ ଏହା ଅନ୍ଯତ୍ତମ । ଏହା ଭାଦ୍ରବ ମାସ ପ୍ରତି ବୁଧବାରରେ ପାଳିତ ହୁଏ । ଅନେକ ଗହ୍ମାପୂର୍ଣ୍ଣିମାଠାରୁ ଇନ୍ଦୁପୂର୍ଣ୍ଣିମା ଆଉ କେତେକ ସଂକ୍ରାନ୍ତି ଅନୁଯାୟୀ ଭାଦ୍ରବ ସଂକ୍ରାନ୍ତିରୁ ଆଶ୍ୱିନ ସଂକ୍ରାନ୍ତିକୁ ହିସାବକୁ ନେଇ ଏହାକୁ ପାଳନ କରିଥାନ୍ତି ।

ସାଧାରଣତଃ ମହିଳାମାନେ ନିଜ ସନ୍ତାନ ସନ୍ତତି ମାନଙ୍କ ଶୁଭ ମନାସୀ ଏହି ଓଷା କରିଥାନ୍ତି । ଏହି ଓଷାଟିକୁ ନିର୍ଜଳ ଅଥବା ଅନ୍ନ ନ ଖାଇ ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷାରେ ବୁଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା ଙ୍କୁ ଆବାହନ କରାଯାଏ।

ବୁଦ୍ଧିବାମନ ଓଷାର ପରମ୍ପରା ଅନୁଯାୟୀ ବିଭିନ୍ନ ରଙ୍ଗର ଫୁଲ, ଫଳ, ଧୂପ, ଦୁବ , ହଳଦୀ, ଗୁଆ, କଉଡି, ନଡିଆ, ସାଲୁକନା, ଶଙ୍ଖା, ସିନ୍ଦୁର ଆଦି ଦରକାର ହୁଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ଓ ଗୁ୍ଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି ।

ପ୍ରଥମେ ଶିଳ ଏବଂ ଶିଳପୁଆକୁ ଗଙ୍ଗାଜଳରେ ସ୍ନାନ କରାଯାଏ । ଏଥିରେ ହଳଦୀ, ସିନ୍ଦୁର, କଉଡି, ଫୁଲ ଲଗାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ବୁଦ୍ଧିବାମନଙ୍କ ଓଷା ପାଇଁ ସ୍ୱତନ୍ତ୍ର ବହି ରହିଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ । ବିଶ୍ୱାସ କରାଯାଏ ନିଃସନ୍ତାନ ମହିଳା ପ୍ରଥମ ପାଳିରୁ ଶେଷ ପାଳି ଯାଏ ଏହି ବ୍ରତ କଲେ ସମସ୍ତଙ୍କ ଆଶିଷରେ ସନ୍ତାନ ପ୍ରାପ୍ତି ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.