ଏଣିକି ବାତ୍ୟା-ବନ୍ୟା ନେଇ ଲୋକଙ୍କୁ ମିଳିବ ଆଗୁଆ ସୂଚନା , ବସିଲା ୧୧୨ଟି ସାଇରନ ଟାୱାର

ବାତ୍ୟା ହେଉ କି ବନ୍ୟା। ସୁନାମି ଅବା ଉଚ୍ଚ ଜୁଆର । ଏସବୁ ପ୍ରାକୃତିକ ବିପର୍ଯ୍ୟୟ ଆସିବାର ବହୁ ପୂର୍ବରୁ ଜନସାଧାରଣଙ୍କୁ ମିଳିବ ଆଗୁଆ ସତର୍କ ସୂଚନା । ଏଥିପାଇଁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାର ସମୁଦ୍ରକୂଳରେ ବସିଛି ୧୧୨ଟି ସାଇରନ ଟାୱାର । ଏହା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ଆସିବା ପୂର୍ବରୁ ଲୋକଙ୍କୁ ଦିଆଯିବ ସତର୍କ ସୂଚନା। କେବଳ ସାଇରନ ନୁହେଁ, ମୋବାଇଲ ଫୋନ ମାଧ୍ୟମରେ ଆଗୁଆ ବିପର୍ଯ୍ୟୟ ସମ୍ପର୍କିତ ବାର୍ତ୍ତା ପଠାଯିବ। ବିପର୍ଯ୍ୟୟ ପ୍ରଶମନ ଦିବସରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଭଳି ବ୍ୟବସ୍ଥା ଲାଗୁ କରିବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ। ଅଲଗା ରାଜ୍ୟ ତୁଳନାରେ ପ୍ରତିବର୍ଷ କିଛି ନା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡିଶା। ଏହାସତ୍ତ୍ୱେ ଦେଶ ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଗତ ଦୁଇ ଦଶନ୍ଧି ଭିତରେ ତିତଲି ତୃତୀୟ ବଡ଼ ବାତ୍ୟା। ଆଉ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବଡ଼ଧରଣର ଭୂସ୍ଖଳନ ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲାରେ । ଏଥିପାଇଁ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଓ ଜନବସତି କେତେ ବିପଦସଙ୍କୁଳ ତାର ମ୍ୟାପିଂ ହେବ। ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ତିତଲି ପରେ ରିଲିଫ ଓ ପୁନରଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିଛନ୍ତି ରାଜ୍ୟ ସରକାର। ଏ ବାବଦରେ ପାଖାପଖି ୧୩ ଶହ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସୁଥିବା ନୂଆ ନୂଆ ଚ୍ୟାଲେଞ୍ଜ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଏସଆରସି କହିଛନ୍ତି ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୮୭୯ଟି ବାତ୍ୟା ଆଶ୍ରୟସ୍ଥଳୀ, ୨୦ ଓଡ୍ରାଫ ଟିମ୍‌, ୩୩୯ ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ରେସପନ୍ସ ୟୁନିଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.