ପାହାଡ଼ ଉପରକୁ ଯାଇଥିବାବେଳେ ହଠାତ୍ ହେଲା ବଜ୍ରାଘାତ, ୩ଛାତ୍ର ଗୁରୁତର

ଫୁଲବାଣୀ : ମୋବାଇଲରେ ନେଟଓ୍ୱାର୍କ ଆସୁନଥିବାରୁ ପାହାଡ଼ ଉପରକୁ ଯାଇଥିଲେ ୩ଛାତ୍ର। ସେହି ସମୟରେ ହଠାତ୍ ମାଡି ଆସିଲା ମେଘ। ଘଡଘଡି ସହିତ ମାରିଲା ବିଜୁଳି। ଏହାପରେ ପାହାଡ ଉପରେ ଥିବା ଛାତ୍ରମାନେ ଚେତାଶୂନ ହୋଇଯାଇଥିଲେ। ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ। ଆହତମାନେ ହେଲେ ଯୁକ୍ତ ଦୁଇରେ ପଢୁଥିବା ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ପଞ୍ଚା ବେହେରା।

ଗତକାଲି ଦିନ ୪ଟା ସମୟରେ ଏହି ଅଘଟଣ ଘଟିଥିଲା। ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ ଏହି ଛାତ୍ରମାନେ। ସେମାନେ ପାହାଡ଼ ଉପରେ ଥିବା ସମୟରେ ବଜ୍ରାଘାତର ଶୀକାର ହୋଇଥିଲେ। ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସିପାରି ନଥିଲେ। ଯାହାଫଳରେ ଚେତାଶୂନ ହୋଇ ପଡ଼ିଯାଇଥିଲେ। ତେବେ ସନ୍ଧ୍ୟାରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ। ସେଠାରେ ୩ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.