ନୂଆପଡ଼ା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏରୋଗାଳା ଡକାୟତ ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି ନୂଆପଡ଼ା ପୋଲିସ। ସେମାନଙ୍କ ଠାରୁ ନଗଦ ୭ଲକ୍ଷ ୭୦ ହଜାର ଟଙ୍କା ସହ ୨୭ଟି ମୋବାଇଲ, ୨ଟି ମୋଟର ସାଇକେଲ ଓ ଗୋଟିଏ ମାଷ୍ଟର ଚାବି ଜବତ କରାଯାଇଛି।
ଗତ ଜୁନ ୧୮ ତାରିଖରେ ନୂଆପଡ଼ା ଥାନା ଡୁମେରପାଣି ପଞ୍ଚାୟତ ସମିତି ସଭାପତି ହିରଣ୍ୟ ସାହୁ ଓ ସଂପାଦକ ଜୟସିଂ ମାଝି ନୂଆପଡ଼ା ଷ୍ଟେଟବ୍ୟାଙ୍କର ଏଡିବି ଶାଖାରୁ ୧୦ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଏମାନେ ଦିନ ଦ୍ୱିପହରରେ ଏହାକୁ ଲୁଟି ନେଇଥିଲେ। ଘଟଣାର ତଦନ୍ତ କରି ମାଷ୍ଟରମାଇଣ୍ଡ ଆଳୁରାଜା, ସହଯୋଗୀ ଏମ୍ ଗଣେଶ ଓ ଜଣେ ନାବାଳକକୁ ଗିରଫ କରାଯାଇଥିବା ନୂଆପଡ଼ା ଏସପି ସ୍ମିଥ ପି. ପରମାର କହିଛନ୍ତି। ଏମାନଙ୍କ ନାଁରେ ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ବିିଭିନ୍ନ ଥାନାରେ ୩୨ରୁ ଅଧିକ ମାମଲା ରହିଛି।