ମନ୍ଦିର ନିକଟରେ ଛାଡି ଚାଲିଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା ହସ୍ତାନ୍ତର

କୋରାପୁଟ(କେ ନ୍ୟୁଜ): ଲକ୍ଷ୍ମୀପୁର ରାମମନ୍ଦିର ନିକଟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁ କନ୍ୟାଟିକୁ ମନ୍ଦିର ନିକଟରେ ଛାଡି ଯାଇଥିଲେ । ପ୍ରବଳ କାନ୍ଦୁଥୁବା ଅବସ୍ଥାରେ ଲକ୍ଷ୍ମୀପୁର ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଶିଶୁ କନ୍ୟାଟିକୁ କୋରାପୁଟ ଶିଶୁ ସୁରକ୍ଷା ସମିତିକୁ ହସ୍ତାନ୍ତର କରିଛି ପୋଲିସ । ଶିଶୁଟିର ଯତ୍ନ ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି । ଗତକାଲି ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ରାମମନ୍ଦିର ନିକଟରେ କେହି ଜଣେ ତିନି ମାସର ଶିଶୁ କନ୍ୟାକୁ ରାତି ଦଶଟାରେ ଛାଡ଼ି ଚାଲିଯାଇଥିଲା । ଶିଶୁଟି ସେଠାରେ ପଡିରହି ଚିତ୍କାର କରି କାନ୍ଦୁଥିବା ବେଳେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଶୁଣି ନିକଟକୁ ଯାଇ ଦେଖି କେହି ଶିଶୁ କନ୍ୟାକୁ ଛାଡ଼ି ଚାଲିଯାଇଥିବାରୁ ସ୍ଥାନୀୟ ଲକ୍ଷ୍ମୀପୁର ପୋଲିସକୁ ଖବର ଦେଇଥିଲେ ।

ଲକ୍ଷ୍ମୀପୁର ଥାନା ଅଧିକାରୀଣୀ ଶ୍ରୀମତୀ ଶ୍ୱେତପଦ୍ମା ସେଟ୍ ଶିଶୁ କନ୍ୟା ନିକଟକୁ ଯାଇ ତାକୁ ଉଧାରକରି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାର ସ୍ଵାସ୍ଥ୍ୟ ପରୀକ୍ଷା କରାଇଥିଲେ । ଶିଶୁଟିର ସ୍ବାସ୍ଥ୍ୟ ଠିକ ରହିଛି ବୋଲି ଜଣାପଡିଥିଲା । ଆଜି ଶିଶୁ କନ୍ୟା ଟିକୁ କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ଵରୀ ଦାସ ଓ କମିଟି ଗ୍ରହଣ କରିଛନ୍ତି । ଶିଶୁର ଏକ ଫୋଟକୁ ବିଜ୍ଞାପନରେ ଦିଆଯିବ | ଏକ ମାସ ମଧ୍ୟରେ କେହି ଦାବି ନକଲେ ଶେଷରେ ନିୟମ ମୁତାବକ ଯିଏ ଶିଶୁଟିକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଅନଲାଇନରେ ଆବେଦନ କରିଥିବେ ତାଙ୍କୁ ନିୟମ ଅନୁସାରେ ଲାଲନ ପାଳନ କରିବାକୁ ଦିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣୀ ରାଜେଶ୍ଵରୀ ଦାସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.