ବିବାଦୀୟ ଅଧ୍ୟକ୍ଷାଙ୍କୁ ହଟାଇବା ଦାବିରେ ୪୬ ଦିନରେ ଧାରଣା ଜାରି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନରେ ହେଳା

ଭୁବନେଶ୍ୱର : ଜଣେ ବିବାଦୀୟ ଅଧ୍ୟକ୍ଷାଙ୍କୁ ହଟାଇବା ଦାବିରେ ଉକ୍ତ କଲେଜର କର୍ମଚାରୀ ଦୀର୍ଘ ୪୬ ଦିନ ଧରି ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ଦିସ୍ତା ଦିସ୍ତା ଅଭିଯୋଗ, ତଦନ୍ତ ରିପୋର୍ଟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (ତା ୮-୯-୨୨ ରେ ୧୧.୪୨ ରେ ଇ ମେଲ ଯୋଗେ ସେକ୍ରେଟାରୀ ଉଚ୍ଚ ଶିକ୍ଷା ବିଭାଗ)ତଦନ୍ତ ନିର୍ଦ୍ଦେଶ ପରେ ବି ଏଯାଏ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଧାରଣାରତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ତେବେ ଏ ସମ୍ପର୍କରେ ଗତକାଲି ଅର୍ଥାତ ସୋମବାର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ମୋବାଇଲ ନମ୍ବର ୯୧୭୮୧୭୮୬୩୯ ଯୋଗେ ଧାରଣାସ୍ଥଳରୁ ପଚାରିବା ପରେ ଧାରଣା ସମ୍ପର୍କରେ ସେ ଜାଣି ନଥିବା କହିଥଲେ । ଯାହାକୁ ନେଇ ଧାରଣା କର୍ମଚାରୀଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

ବର୍ଷା,ଖରା ଓ ସାପ ବିଛା ଗହଣରେ ରାଜ ରାସ୍ତାରେ ଦୀର୍ଘ ୪୬ ଦିନ ନ୍ୟାର୍ଯ୍ୟ ଦାବିରେ ଧାରଣାକାରୀମାନେ ବସି ରହିଛନ୍ତି । ଉକ୍ତ ଦାବି ନେଇ ଉଚ୍ଚ ଶିକ୍ଷା ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦେଖା କରି ଅଭିଯୋଗ ପତ୍ର (ଡାଇରି ନଂ-୧୪୦ ତା ୨୦-୮-୨୨ରେ)ଦେଇଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଏପରି ପ୍ରଶ୍ନ ଉଚ୍ଚ ଶିକ୍ଷା ବିଭାଗର ଉତ୍ତର ଦାୟିତ୍ୱ ଓ ସରକାରଙ୍କ ୫ ଟି ଓ ଜିରୋ ଟଲେରାନ୍ସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜପକୁଦ ମହିଳା ଡିଗ୍ରୀ କଲେଜର ଉକ୍ତ ବିବାଦୀୟ ଅଧ୍ୟକ୍ଷା ରାଜଶ୍ରୀ ମିଶ୍ରଙ୍କ ନିଯୁକ୍ତି ପାଇଁ ଆବଶ୍ୟକୀୟ ମାର୍କ ୫୫% ନ ଥାଇ ମାତ୍ର ୪୬ % ଥିବା ବେଳେ ଓ ସେ ବିଭିନ୍ନ ଜାଲିଆତି କରି ନିଯୁକ୍ତି ନେଇଥିବା ସମସ୍ତ ତଦନ୍ତ ରିପୋର୍ଟ ସରକାରଙ୍କ ଠାରେ ଦାଖଲ ହୋଇଥିବା ଅଭିଯୋଗ ହୋଇଛି । ହେଲେ ଉଚ୍ଚ ଶିକ୍ଷା ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ମମତା ଯୋଗୁ ଘଟଣାକୁ ବିଳମ୍ବ କରିବା ପାଇଁ ଗୋଟିଏ ପରେ ଗୋଟିଏ ଖାଲି ତଦନ୍ତ ପାଇଁ ଚିଠି ହେଉଥିବା ଧାରଣାରତ କର୍ମଚାରୀ ଅଭିଯୋଗ କରିଛନ୍ତି ।ତେଣୁ ତୁରନ୍ତ ଏହି ଘଟଣା ଉପରେ ଉଚ୍ଚ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧାରଣାରତ କର୍ମଚାରୀ ଦାବି କରିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ଉକ୍ତ ଡିଗ୍ରୀ କଲେଜର ବର୍ତ୍ତମାନ ଅଧ୍ୟକ୍ଷା ଭାବେ ସରକାରଙ୍କ ଅନୁଦାନ ପାଉଥିବା ରାଜଶ୍ରୀ ମିଶ୍ର ୧୯୯୬ ମସିହାରେ ୪୬ % ମାର୍କରେ ଜୁନିୟର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ପରେ ୧୯୯୭ ରେ ସେ ୫୦ % ମାର୍କ ବୃଦ୍ଧି କରିଥିଲେ । ହେଲେ ଜଣେ ଅଧ୍ୟାପକ ହେବା ପାଇଁ ୫୫ % ମାର୍କ ଆବଶ୍ୟକ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ଚିଠି ନଂ ୧୨୨୬,ତା ୦୫.୦୨.୨୦୨୧ ରେ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି । ଏବେ ସେ +୩ର ଅନୁଦାନପ୍ରାପ୍ତ ଅଧ୍ୟକ୍ଷା ହୋଇଥିବା ବେଳେ ତାଙ୍କର ନାମ +୨ ରେ ଅନୁମୋଦନ ପାଇଁ ତା ୮.୪.୨୦୧୬ରେ ମଧ୍ୟ ଆସିଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଜଣାଇଛନ୍ତି । ଖାଲି ସେତିକି ନୁହେଁ ଉକ୍ତ କଲେଜରେ ଅଧ୍ୟକ୍ଷାଙ୍କର ଭାଇ ସତ୍ୟ ରଂଜନ ମିଶ୍ର, ଦୁଇ ଭଉଣୀ ଜୟଶ୍ରୀ ଓ ରାଜଶ୍ରୀ, ତାଙ୍କ ଭଉଣୀଙ୍କ ସ୍ୱାମୀ ତପନ ଶତପଥୀ ଏପରି ଗୋଟିଏ ଘରୁ ୫ ଜଣ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ପ୍ରକାଶଯୋଗ୍ୟ ଯେ ଏହି ସମୟରେ ଉକ୍ତ କଲେଜର ସଭାପତି ଭାବେ ଅଧ୍ୟକ୍ଷାଙ୍କର ମା’ ଓ ବାପା ସଭାପତି ରହିଆସିଛନ୍ତି ।

ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସ୍ୱତନ୍ତ୍ର ଅଡିଟ ପାଇଁ କଲେଜକୁ ପଠାଇଥିଲେ । ହେଲେ ଅଡିଟରେ ସନ୍ତୁଷ୍ଟ ନହୋଇ ଅଧ୍ୟକ୍ଷା ରାଜଶ୍ରୀଙ୍କୁ କାହିଁକି ତାଙ୍କର ‘ଗ୍ରାଣ୍ଟ ଇନ ଏଡ୍’ଉଚ୍ଛେଦ ନହେବ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିଥିଲେ । ହେଲେ ଆଜିଯାଏ ସରକାର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଫଳରେ ଅଧ୍ୟକ୍ଷାଙ୍କୁ ବହିସ୍କାର କରିବା ସହ ଅଧ୍ୟକ୍ଷାଙ୍କୁ ଘଣ୍ଟ ଘୋଡାଉଥିବା ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟଧାରାର ନ୍ୟାୟିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ବିକ୍ଷୋଭକାରୀ ବିଧାନସଭା ଆଗରେ ୪୬ ଦିନ ଧରି ଧାରଣାରେ ବସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.