ପୁଣି ବିଦେଶରେ ଓଡ଼ିଆ ଶ୍ରମିକ ହନ୍ତସନ୍ତ, ବାହାରିନରେ ବାହୁନି କାନ୍ଦୁଛନ୍ତି ଓଡ଼ିଆ ଯୁବକ

ବେଙ୍ଗାଳୁରୁ (କେନ୍ୟୁଜ): ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା । ନିଜ ଘର ଛାଡ଼ି ବିଦେଶ ବହାରିନରେ କାମ କରିବା ଆଶାରେ ଆସି ସେଠି ନାହିଁ ନଥିବାର ହଇରାଣ ହରକତ ହେଉଥିବା ଖବର ନଜରକୁ ଆସିଛି । ସୂଚନା ଯେ ଦୀପାଂଶୁ ଶେଖର ଦାସ, ସୋମନାଥ ପରିଡ଼ା, ଭଗବାନ ସ୍ୱାଇଁ, ଜଗମୋହନ କର, ରାଜେନ୍ଦ୍ର କୁମାର ଆଦି ଯୁବକମାନେ ବାଲେଶ୍ଵର, ଯାଜପୁର, କଟକ, ଭୁବନେଶ୍ୱର ଆଦି ଅଞ୍ଚଳରୁ ମନରେ ଅନେକ ଆଶା ଓ ବିଶ୍ୱାସ ନେଇ ବାହାରିନ ଆସିଥିଲେ । ଆଖିରେ ଆଖିଏ ସ୍ବପ୍ନ ଥିଲା ବିଦେଶ ମାଟିରେ ଭଲ ରୋଜଗାର କରି ପରିବାରକୁ ପଠାଇବେ । ସେଥିପାଇଁ ଛଳନା ନିଯୁକ୍ତି ଦେୟ ଭରଣା କରି ଘରୁ ଧାର କରଜରେ ଟଙ୍କା ଯୋଗାଡ଼ କରି ଠକ ବେଆଇନ ଦଲାଲ ଜରିଆରେ ଗୋଲାପୀ ସ୍ବପ୍ନ ଧରି ବାହାରିନର ମାଗନମ ଜାହାଜ ସେବା କମ୍ପାନୀରେ ଆସି ଯୋଗଦେଇଥିଲେ ।

ମାତ୍ର ଏଠାରେ ଆସି ପହଞ୍ଚିବା ପରେ ସବୁକିଛି ଓଲଟା ଥିଲା । ଜାହାଜ ସେବା ନୁହେଁ ବରଂ ଜାହାଜ କାରଖାନାରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଗଲା, ଯାହାକି ଅତ୍ୟନ୍ତ ବିପଦ ସଙ୍କୁଳ ଓ କଷ୍ଟକର କାର୍ଯ୍ୟ ଥିଲା । ତଥାପି ଯୁବକ ମାନେ ସାହସ ନେଇ ସେମାନେ କାର୍ଯ୍ୟରେ ଯୋଗଦେଲେ ନିଜର ଭବିଷ୍ୟତକୁ ଗଢ଼ିବା ପାଇଁ, ମାତ୍ର ଏକ ଛୋଟ ବଖରା ଭିତରେ ୮ ଜଣ ରହିବା ସେମାନଙ୍କ ପାଇଁ ଥିଲା ବହୁତ ବଡ଼ ଆହ୍ବାନ । କଥା କେବଳ ଏତିକି ନୁହେଁ, ବିନା ଖାଇବା ବ୍ୟବସ୍ଥା, ବିନା ଦରମାରେ ଏମିତି କଷ୍ଟକର ପରିସ୍ଥିତିରେ ସେମାନେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଲେ ।

ସ୍ଥାନୀୟ ଦୋକାନରୁ ଉଧାର କରି କେତେ ଦିନ ବା ବଞ୍ଚି ପାରନ୍ତେ ? ଏଭଳି ଦୁଃସ୍ଥିତିରୁ ମୁକୁଳିବା ପାଇଁ ସେମାନେ ବାଟ ଖୋଜି ବୁଲିଲେ । ‘ବିଶ୍ବ ଓଡ଼ିଶା’ ମାଧ୍ୟମରେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ଦୃଷ୍ଟିକୁ ଏ ଖବର ଆସିବା ପରେ ସେ ତୁରନ୍ତ ସମାଧାନ ପାଇଁ ଲାଗି ପଡ଼ିଲେ । ସେ ଭାରତୀୟ ଦୂତାବାସ, ଶ୍ରମ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ନ୍ୟାୟୋଚିତ ଫେରିବା ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଡ. ପ୍ରହରାଜଙ୍କ କହିବା ଅନୁସାରେ ଏହି ଘଟଣା ସେ କମ୍ପାନୀ ଓ ଦୂତାବାସ ଦୃଷ୍ଟିକୁ ଆଣିଛନ୍ତି। ବେଆଇନ ଓ ଠକ ଦଲାଲଙ୍କ ଜରିଆରେ ଏହି ଯୁବକ ମାନେ ଆସିଥିବାରୁ ଆଇନଗତ କ୍ରିୟାନୁଷ୍ଠାନ ସହଜ ହେଉ ନାହିଁ। ଆଜି ଡ. ପ୍ରହରାଜ ନିଜ ବାସଭବନରେ ଯୁବକ ମାନଙ୍କୁ ଡକାଇ ସେମାନଙ୍କ ଫେରିବା ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ଏ ସମ୍ପର୍କରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଯୁବକ ମାନଙ୍କୁ ସୁରକ୍ଷିତ ଭାବେ ଫେରିବାରେ ସହଯୋଗ କରିବା ପାଇଁ।

ସୂଚନାଯୋଗ୍ୟ ଯେ, ବିଶିଷ୍ଟ ସମାଜସେବୀ ଓ ବିଶ୍ବ ମାନବ ଅଧିକାର କର୍ମୀ ଡ. ପ୍ରହରାଜ ବାହାରିନରେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ବକାଳ ରହି ଆସୁଛନ୍ତି । ସେ ଏହିପରି ଅନେକ ଓଡ଼ିଆ ଯୁବକଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଛନ୍ତି। ଏହିପରି ଛଳ ଦଲାଲଙ୍କ କବଳରୁ ରକ୍ଷା ପାଇବା ପାଇଁ ଆଇନଗତ ଭାବରେ ଏକ ବ୍ୟବସ୍ଥା କରାଯାଉ ବୋଲି ଡ. ପ୍ରହରାଜ ଦୀର୍ଘ ଦିନରୁ ଉଭୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.