ଲାଇଫ ସପୋର୍ଟରେ ପ୍ରସିଦ୍ଧ ସାହିତ୍ୟିକ ସଲମାନ ରସଦି, ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ : ଲାଇଫ ସପୋର୍ଟରେ ପ୍ରସିଦ୍ଧ ସାହିତ୍ୟିକ ସଲମାନ ରସଦି। ଗତକାଲି ନ୍ୟୁୟର୍କର ଏକ କାର୍ଯ୍ୟକ୍ରମରେ ତାଙ୍କୁ ଛୁରାମାଡ଼ ପରେ ରସଦିଙ୍କ ଲିଭର ଓ ଆଖିରେ ଗଭୀର ଆଘାତ ଲାଗିଛି। ଏପରିକି ସେ ନିଜର ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ଆକ୍ରମଣ ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସର୍ଜରୀ କରାଯାଇଥିଲା। ତାଙ୍କ ହାତର ସ୍ନାୟୁ କାମ କରୁନଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ରସଦିଙ୍କ ପୁସ୍ତକ ପ୍ରକାଶନ କରୁଥିବା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ରସଦିଙ୍କ ଉପରେ ଆକ୍ରମଣ କରିଥିବା ଦୁର୍ବୃତ୍ତର ପରିଚୟ ମିଳିଥିବା ନ୍ୟୁୟର୍କ ପୋଲିସ କହିଛି। ଦୁର୍ବୃତ୍ତ ଜଣକ ନ୍ୟୁୟର୍କର ୨୪ବର୍ଷୀୟ ହଦି ମତାର ବୋଲି କୁହାଯାଇଛି। ଆକ୍ରମଣ ପରେ ତାକୁ ତୁରନ୍ତ ଗିରଫ କରାଯାଇଥିଲା।

ଗତକାଲି ପଶ୍ଚିମ ନ୍ୟୁୟର୍କର ଚୌତୌକ୍ୱା ପ୍ରତିଷ୍ଠାନର ଏକ କାର୍ଯ୍ୟକ୍ରମରେ ବକ୍ତତା ଦେବାକୁ ଯାଉଥିବା ବେଳେ ଦୁର୍ବୃତ୍ତ ଜଣକ ଅତର୍କିତ ଭାବେ ଆକ୍ରମଣ କରିଥିଲା। ତାଙ୍କୁ ୧୦ରୁ ୧୫ ଥର ଛୁରାମାଡ଼ କରିଥିଲା ଦୁର୍ବୃତ୍ତ। ତୁରନ୍ତ ତାଙ୍କୁ ହେଲିକପ୍ଟର ଯୋଗେ ନିଆଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଭାରତ ଜନ୍ମିତ ବ୍ରିଟିଶ ଲେଖକ ସଲମ୍ାନ ରସ୍ଦି ମିଡନାଇଟ୍ସ ଚିଲ୍ଡ୍ରେନ ପାଇଁ ବୁକର ପୁରସ୍କାର ଲାଭ କରିଥିଲେ। କିନ୍ତୁ ନିଜର ୪ର୍ଥ ପୁସ୍ତକ ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶନ ପରେ ବିବାଦକୁ ଆସିଥିଲେ ରସ୍ଦି। ଇରାନ୍ ଏହି ପୁସ୍ତକକୁ କଟକଣା କରିବା ସହ ତାଙ୍କ ବିରୋଧରେ ଫତୱା ଜାରି କରିଥିଲା। ତାଙ୍କ ଉପରେ ବର୍ବର ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.