ଆୟୁଷ୍ମାନକୁ SECC କଣ୍ଟା : ଆୟୁଷ୍ମାନ ଭାରତ ନେଇ ସ୍ପଷ୍ଟ ହେଲା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନାମ ଆୟୁଷ୍ମାନ ଭାରତ । ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିବା ପରେ ତେଜିଥିବା ବିବାଦ ଉପରୁ ଏବେ ପରଦା ଉଠୁଛି । ନୀତି ଆୟୋଗକୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରୁ ସ୍ପଷ୍ଟ ହୋଇଛି, କାହିଁକି ନିଜସ୍ୱ ଯୋଜନା କଲେ ରାଜ୍ୟ ସରକାର । ଚିଠିରେ ନବୀନ ଲେଖିଛନ୍ତି, ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଆସୁଛି ଆୟୁଷ୍ମାନ ଭାରତ । ଏହାକୁ ସେ ସ୍ୱାଗତ କରୁଛନ୍ତି । ଏହାସହ ସେ ଲେଖିଛନ୍ତି, ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ ନକଲେ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରି ହେବ ନାହିଁ । ସମସ୍ତଙ୍କୁ ଓ ସମସ୍ତଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ପ୍ରୟାସ ହେବା ଜରୁରୀ । ତେବେ ନବୀନ ଆପତ୍ତି ଉଠାଇଛନ୍ତି ଯେ, ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବା ଏନ୍‌ଏଚ୍‌ପିସି ଓ ସାମାଜିକ ଅର୍ଥନୈତିକ ଜାତି ଜନଗଣନା ବା SECC ତଥ୍ୟ ଉପରେ ନିର୍ଭର କଲେ ଲକ୍ଷ୍ୟ ହାସଲ କରି ହେବ ନାହିଁ । ୟୁପିଏ ସରକାର କରିଥିବା ଏସ୍‌ଇସିସି ସର୍ଭେରେ ତ୍ରୁଟି ଯୋଗୁ ଅନେକ ଗରିବ ଏଥିରୁ ବାଦ ପଡ଼ିବେ ବୋଲି ନବୀନ ଦର୍ଶାଇଛନ୍ତି । ରାଜ୍ୟର ଦାବିକୁ ବିଚାରକୁ ନିଆଗଲେ, ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସାମିଲ ନେଇ ଚିନ୍ତା କରାଯିବ ବୋଲି ନବୀନ ଲେଖିଛନ୍ତି । ବିଜେଡି କହିଛି, କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ସର୍ଭେ ହୋଇଛି ।

ଏସ୍‌ଇସିସି ତଥ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଉଠାଇଥିବା ଆପତ୍ତକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ । ପିସିସି ସଭାପତି କହିଛନ୍ତି, କେବଳ ତଥ୍ୟକୁ ନେଇ ବିଜେପି ଓ ବିଜେଡି ତୁଚ୍ଛା ରାଜନୀତି କରୁଛନ୍ତି । ସେପଟେ ବିଜେପିର ଯୁକ୍ତି, ଏସଇସିସି ସର୍ଭେ ରାଜ୍ୟ କରିଥାଏ । ରାଜ୍ୟର ୭୦ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ କେବେ କେନ୍ଦ୍ର ମନା କରିନାହିଁ । ପ୍ରାଥମିକ ପର୍ଯ୍ୟାୟରେ ୬୧ ଲକ୍ଷ ପରିବାରକୁ ସାମିଲ କରାଯିବ ।

ଜୁନ୍‌ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରିଥିଲେ । ଆସନ୍ତା ସ୍ୱାଧୀନତା ଦିବସରୁ ଏହା କାର୍ଯ୍ୟକାରୀ ହେବ । ଏଥିରେ ରାଜ୍ୟର ୭୦ ଲକ୍ଷ ପରିବାରର ସାଢେ ୩କୋଟି ଲୋକ ମାଗଣାରେ ସ୍ୱାସ୍ଥ୍ୟସେବା ସୁବିଧା ପାଇବେ । ପ୍ରତି ପରିବାରକୁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଯୋଗାଇ ଦେବେ । ଏହାପରେ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟ ସେବା ଯୋଜନାକୁ ନେଇ ରାଜନୀତି ତେଜିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.