ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର : ରଥଯାତ୍ରା ବେଳେ ନୋ ଫ୍ଲାଇଂ ଜୋନ୍ ହୋଇପାରେ ବଡଦାଣ୍ଡ

ପୁରୀ : ରଥଯାତ୍ରା ବେଳେ ପୁରୀରେ ସ୍ଥଳ, ଜଳ ଓ ଆକାଶରୁ କଡ଼ା ନଜର ରଖାଯିବ । ଅଭେଦ୍ୟ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର । ନିୟୋଜିତ ହେବେ ୧୪୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ହଜାରେରୁ ଅଧିକ ଅଫିସର । ପୁରୀରେ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ଶେଷ ସମୀକ୍ଷା କରିଛନ୍ତି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା । ବିଶେଷ କରି ଆଇନ ଶୃଙ୍ଖଳା, ଅପରାଧ ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ୧୮୫ରୁ ଅଧିକ ସିସିଟିଭି କ୍ୟାମେରା ସହ ଏକ ଇଣ୍ଟିଗ୍ରେଟେଡ୍‌ କଣ୍ଟ୍ରୋଲ ରୁମ୍‌ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନ୍ୟ ଏକ କଣ୍ଟ୍ରୋଲ ରୁମ ୨୪ ଘଣ୍ଟା କାମ କରିବ । ରଥଯାତ୍ରା ବେଳେ ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିବା ପାଇଁ ଉଦ୍ୟମ କରାଯାଉଛି । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିବା ପୋଲିସ ଡିଜି କହିଛନ୍ତି ।

ଘୋଷଯାତ୍ରା ପାଇଁ ମଝିରେ ଆଉ ୨ ଦିନ ବାକି ଥିବା ବେଳେ ରଥ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କନକମୁଣ୍ଡି ନିର୍ମାଣ ସହ ପିତ୍ତଳ କାମ ଚାଲିଛି । ଦରଜୀ ସେବାୟତଙ୍କ ଦ୍ୱାରା ତିନି ରଥରେ ଚାଲିଛି କନା ପକାଇବା କାମ । ରଥ ବ୍ରେକ୍‌ କାମ ମଧ୍ୟ ଚାଲିଛି ।

ଆଜି ତ୍ରୟୋଦଶୀରେ ମହାପ୍ରଭୁଙ୍କ ଘଣାଲାଗି ନୀତି ସଂପନ୍ନ ହୋଇଛି । ପରେ ଶ୍ରୀମନ୍ଦିରରୁ ନିମନ୍ତ୍ରଣ ପାଇ ସୁଦ୍ଧ ସୁଆରଙ୍କ ଘରୁ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ଯାଇଥିଲା । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଳି ପ୍ରଲେପ ଦିଆଯାଇଛି । ସୁଦ୍ଧ ସୁଆରମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ଅଟା ଓ କଇଁଥ ଅଟାରେ ଏହି ସ୍ୱତନ୍ତ୍ର ପ୍ରଲେପ ପ୍ରସ୍ତୁତ କରିଥାନ୍ତି । ଆସନ୍ତାକାଲି ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କୁ ଦତ୍ତ ମହାପାତ୍ର ସେବାୟତମାନେ ବନକ ଲାଗି କରିବେ ।  ଆସନ୍ତା ୧୩ ତାରିଖରେ ନବଯୌବନ ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦେବେ । ୧୪ ତାରିଖରେ ଘୋଷଯାତ୍ରା ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.