ଆସିବ ବିଧାନ ପରିଷଦ ବିଲ୍ : ଅନୁଧ୍ୟାନ କରି ଫେରିଲା କମିଟି, ପ୍ରସ୍ତୁତ ହେଉଛି ରିପୋର୍ଟ

ଭୁବନେଶ୍ବର : ମହାରାଷ୍ଟ୍ର ଓ କର୍ଣ୍ଣାଟକ ପରେ ବିହାର ଓ ତେଲେଙ୍ଗାନା । ବିଧାନ ପରିଷଦ ଗଠନ ସଂକ୍ରାନ୍ତ କମିଟିର ସରିଲା ଅନୁଧ୍ୟାନ । ଏବେ କମିଟି ବିହାର ଓ ତେଲେଙ୍ଗାନା ଗସ୍ତ ସାରି ଫେରିଛି । ଏହି ଦୁଇ ରାଜ୍ୟରେ ପ୍ରଥମେ ବିଧାନସଭା ଓ ତା’ପରେ ବିଧାନ ପରିଷଦ ଗଠନ ହୋଇଥିଲା । ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ । ଏନେଇ ଡାକ୍ତର ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବ ।

ସେପଟେ ବିଧାନ ପରିଷଦ ଗଠନକୁ ବିରୋଧୀଙ୍କ ସମାଲୋଚନା ବଢୁଛି । କଂଗ୍ରେସ ଓ ବିଜେପି ବିଧାୟକ କମିଟିରେ ସାମିଲ ହୋଇନଥିଲେ । କଂଗ୍ରେସ କହିଛି, ଅସନ୍ତୁଷ୍ଟ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ଚାଲିଛି । ଏହା ଲଲିପପ୍‌ ସଦୃଶ । ସେହିପରି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ବିଧାନ ପରିଷଦକୁ ଥଇଥାନ କେନ୍ଦ୍ରର ଆଖ୍ୟା ଦେଇଛନ୍ତି ।

ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଏକ ସଂକଳ୍ପ ପାସ୍‌ ହେବ । ଏଥିପାଇଁ ସଂଖ୍ୟା ଗରିଷ୍ଠତା ଅର୍ଥାତ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏହି ସଂକଳ୍ପ ବିଧାନସଭାରେ ଉପସ୍ଥାପନ ହୋଇସାରିଛି । ବିଧାନସଭା ଓ ସଂସଦରେ ପାସ୍‌ ପରେ ବିଧାନ ପରିଷଦ ଗଠନ ହେବ । ଏଥିରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ସଦସ୍ୟ ରହିବେ । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଥିବାରୁ ବିଧାନ ପରିଷଦରେ ୪୯ ଜଣ ସଦସ୍ୟ ରହିବେ । ୪୦ରୁ କମ୍‌ ସଦସ୍ୟ ରହିବେ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ କାର୍ୟ୍ୟକାଳ ୬ବର୍ଷ ରହିବ । ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ଆସନ ଖାଲି ହେବ । ଏକ ତୃତୀୟାଂଶ ସଦସ୍ୟ ମ୍ୟୁନିସିପାଲିଟି, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ଏକ ଷଷ୍ଠାଂଶ ସଦସ୍ୟଙ୍କୁ କଳା, ସାହିତ୍ୟ, ବିଜ୍ଞାନ, ସମାଜସେବା ଓ ସମବାୟ ଆନ୍ଦୋଳନ କ୍ଷେତ୍ରରୁ ମନୋନୀତ କରାଯିବ । ଏମାନଙ୍କୁ ମନୋନୀତ କରିବେ ରାଜ୍ୟପାଳ । ୧୨ ଭାଗରୁ ୧ ଭାଗ ସଦସ୍ୟଙ୍କୁ ସ୍ନାତକମାନେ ନିର୍ବାଚିତ କରିବେ । ଅବଶିଷ୍ଟ ୧୨ ଭାଗରୁ ୧ ଭାଗ ସଦସ୍ୟ ମାଧ୍ୟମିକ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟର ଅଧ୍ୟାପନା କ୍ଷେତ୍ରରୁ ନିର୍ବାଚିତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.