ପୁଣି ଫେରିଲା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ : କଂଗ୍ରେସ ପ୍ରାର୍ଥୀ ଦେଲେ ସମର୍ଥନ ଦେବନି ବିଜେଡି

ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ. କୁରିଏନଙ୍କ ପରେ କିଏ ? ଏହାକୁ ନେଇ ପୁଣି ଥରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ପ୍ରସଙ୍ଗରେ  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ମଧ୍ୟରେ ଆଲୋଚନା ହୋଇଛି । ଚର୍ଚ୍ଚା ହେଉଛି, କଂଗ୍ରେସ ପ୍ରାର୍ଥୀ ଦେଲେ ବିଜେଡି ଏବଂ ଟିଆର୍‌ଏସ୍‌ ସମର୍ଥନ କରିବେ ନାହିଁ । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ନିର୍ଦ୍ଦଷ୍ଟ ଗଣମାଧ୍ୟମର ଏହା ପ୍ରାୟୋଜିତ ଖବର ।  ଏ ବାବଦରେ ଦଳ କାହା ସହ ଆଲୋଚନା କରି ନାହିଁ । ତେଣୁ ଏପରି ଖବରକୁ ଗୁରୁତ୍ୱ ନଦେବାକୁ ସେ କହିଛନ୍ତି ।

କିଛିଦିନ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଥିଲା । ସେତେବେଳେ ପ୍ରସନ୍ନ ଏହାକୁ ଖଣ୍ଡନ କରିବା ସହ କୌଣସି ନିଷ୍ପତ୍ତି  ହୋଇନଥିବା କହିଥିଲେ । ସେହିପରି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଏନ୍‌ଡିଏ ପ୍ରାର୍ଥୀ ଦେବ । ଯଦି ଦରକାର ପଡ଼େ କଂଗ୍ରେସର ସମର୍ଥନ ମଧ୍ୟ ଲୋଡ଼ିବ । ରାଜ୍ୟସଭାର ବର୍ତ୍ତମାନ ଉପାଧ୍ୟକ୍ଷ ଥିବା ପି.ଜେ.  କୁରିଏନଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇରେ ଶେଷ ହେବ ।

Leave A Reply

Your email address will not be published.