ଯାଜପୁର ଉପନିର୍ବାଚନ : ୩୦ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବାଜିମାତ୍‌

bjd

ଯାଜପୁର : ପୁଣି ଏକ ଉପନିର୍ବାଚନ । ପୁଣି ବିଜେଡିର ବିଜୟ । ଏଥର ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ବିଶ୍ୱପ୍ରତାପ ମିଶ୍ର ଜିତିଛନ୍ତି । ସେ ୧୨ହଜାର ୭୯୯ଟି ଭୋଟ୍‌ ପାଇଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ୬ ହଜାର ୬୮୨ ଓ କଂଗ୍ରେସ ପ୍ରାର୍ଥୀଙ୍କୁ ୧ ହଜାର ୭୮୦ଟି ଭୋଟ୍‌ ମିଳିଛି । କାଲି ଏଠାରେ ଭୋଟ୍‌ଗ୍ରହଣ ହୋଇଥିଲା । ଯାଜପୁର ଜିଲ୍ଲା ପରିଷଦର ଏହି ୩୦ ନମ୍ବର ଜୋନ୍‌ରୁ ପୂର୍ବରୁ ବିଜେଡିର ଭାଗବତ ପ୍ରସାଦ ମିଶ୍ର ବିଜୟୀ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅକୁ ବିଜେଡି ଏଥର ପ୍ରାର୍ଥୀ କରିଥିଲା।

ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ ଉପନିର୍ବାଚନ ହୋଇଥିଲେ ବି କିଛି ଘଟଣାବଳୀରୁ ଏହା ଗୁରୁତ୍ୱ ବହନ କରୁଛି । ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ବିଧାୟକ ପ୍ରଣବପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଛି । କିଛିଦିନ ତଳେ ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିବାକୁ ସିବିଆରକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ଚିଠି ଲେଖିଥିବା ଚର୍ଚ୍ଚା ହେଲା । ଏହାପରେ ଦୁଇତିନି ଦିନ ହେଲା ଜାହାଜ ବୁଡି ଘଟଣା ସହ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଲିଙ୍କ୍‌ କରି ବି ଚର୍ଚ୍ଚା ହେଲା । ଏ ସବୁ ଘଟିଲା ଠିକ୍‌ ନିର୍ବାଚନ ପୂର୍ବରୁ । କିନ୍ତୁ ଏସବୁ ପ୍ରଚାର କିଛି କାମ ଦେଇନାହିଁ । ବିଜେଡିର ବିଜୟ ହୋଇଛି । ଯାଜପୁରକୁ ବିଜେପି ଫୋକସ୍‌ କରିଆସୁଛି । ଦଳର ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବରୁ ବିରଜା ମନ୍ଦିର ଯିବା ସହ ଏ ଅଞ୍ଚଳରେ ଜଣଙ୍କ ଘରେ ଭୋଜନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ଥର ଯାଜପୁର ଗସ୍ତ କରିବା ସହ ମିଶ୍ରଣ ପର୍ବ କରିଥିଲେ ।

ଯାଜପୁରକୁ ବିଜେପି ଫୋକସ୍‌ରେ ରଖିଥିବାବେଳେ ସେଠାରୁ ହିଁ ବିଜେଡିର ଆଉ ଏକ ବିଜୟ, ଦଳର ମନୋବଳକୁ ଦୃଢ଼ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.