ବୁଧବାର ସିଲ୍‌ ହେଲା ଗୁରୁବାର ପୁଣି ବିକ୍ରିହେଲା, ଆଜି ମାଟିରେ ମିଶିଲା କିଶୋର ମଟନ ହୋଟେଲ

ଭୁବନେଶ୍ବର(କେନ୍ୟୁଜ୍): ବୁଧବାର ସିଲ୍‌ । ଗୁରୁବାର ପୁଣି ବିକ୍ରିହେଲା । ଶୁକ୍ରବାର ମାଟିରେ ମିଶିଲା । ଦିନେ କିଶୋର ମଟନ ଦୋକାନକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା । ଏବେ ବିବାଦକୁ ନେଇ ଚର୍ଚ୍ଚାରେ କିଶୋର ମଟନ୍‌ । ସିଲ୍‌ ପରେ ବି ମାନିଲେନି । ଅମାନିଆଙ୍କ ଉପରେ ବିଏମସିର ଆକ୍ସନ । ଅପମିଶ୍ରିତ ଖାଦ୍ୟକୁ ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ । ବିଏମସି ବୁଧବାର ଦୋକାନକୁ ସିଲ୍‌ କରିଥିଲା । ହେଲେ ନିୟମକୁ ମାନିଲେନି କିଶୋର । ଗୁରୁବାର ସକାଳୁ ସବୁଦିନ ଭଳି ବସିଥିଲା ମଟନ ହାଣ୍ଡି ।

ଅପରାହ୍ଣକୁ ଗରାଖ ବି ମାଡ଼ି ଆସିଲେ । ଆଜି ବି ସକାଳୁ ମଟନ ପାଇଁ ସବୁ ପ୍ରସ୍ତୁତି ସରିଥିଲା । ହେଲେ ଆଜି ଚୁପ୍‌ ବସିନଥିଲେ ବିଏମସି କର୍ତ୍ତୃପକ୍ଷ । ଏଥର କିନ୍ତୁ ସାଙ୍ଗରେ ଆସିଥିଲା ବୁଲଡୋଜର । ଦୋକାନକୁ ମୋଡ଼ି ମୋକଚି ମାଟିରେ ମିଶାଇ ଦେଇଥିଲା । କିଶୋରଙ୍କୁ ପୁଣି ଥରେ ତାଗିଦ୍‌ କରି ଫେରିଛି ବିଏମସି ।

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ନିକଟରେ ରହିଛି କିଶୋର ମଟନ ଦୋକାନ । ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ଚଢ଼ାଉ କରିଥିଲା । ଦୋକାନର ଫୁଡ ଲାଇସେନ୍ସ ବାତିଲ ସହ ଜରିମାନା ଲଗାଇଥିଲା ବିଭାଗ । ଅଭିଯୋଗ ଥିଲା ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ ର ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏହାସହ ଦୋକାନ ଚାରି କଡ଼ରେ ଥିଲା ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍‌ ପାଖରେ ଥିଲା ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ବୁଧବାର ଦିନ ଖାଦ୍ୟକୁ ଫୋପାଡ଼ିବା ସହ ଆମିଷ ଦ୍ରବ୍ୟକୁ ଯାଞ୍ଚ ପାଇଁ ନମୁନା ପଠାଇଥିଲା ବିଏମସି ବିଏମସି ଲାଇସେନ୍ସକୁ ବାତିଲ କରିଥିଲେ ବି ଗୁରୁବାର ଖୋଲିଥିଲା ହୋଟେଲ । ଯାହାକୁ ନେଇ ଶୁକ୍ରବାର ଆକ୍ସନମୁଡରେ ଆସିଥିଲା ବିଏମସି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.