ଶୀତଳଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା : ଭକ୍ତମାନଙ୍କୁ ମିଳିବ ଯୁଗଳ ବେଶରେ ଶିବ-ପାର୍ବତୀଙ୍କ ଦର୍ଶନ

ସମ୍ବଲପୁର : ଶୀତଳଷଷ୍ଠୀ ପାଇଁ ସମ୍ବଲପୁର ସହର ତଥା ପଶ୍ଚିମଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ଦେବଦେବ ମହାଦେବଙ୍କ ବିବାହର ସମସ୍ତ ନୀତି ସଂପନ୍ନ ହୋଇଛି । ରୀତିନୀତି ଅନୁଯାୟୀ ମାତା ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବଦେବ ମହାଦେବ । ସମସ୍ତ ନୀତି ପରେ ରାତି ୧୧ଟାରେ ବର ବେଶ ହୋଇ କନ୍ୟା ପାର୍ବତୀଙ୍କ ଘରକୁ ବାହାରିଥିଲେ ମହାଦେବ । ମହାଦେବଙ୍କୁ କନ୍ୟା ଘର ପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ପାଛୋଟି ନିଆଯାଇଥିଲା। କନ୍ୟା ଘରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁସାରେ ଭୋର ସମୟରେ ବିବାହର ସମସ୍ତ ରୀତିନିତି ସଂପନ୍ନ ହୋଇଥିଲା ।

ବାଜା ବାଜଣା, ନୃତ୍ୟ ଗୀତ ଓ ଘଣ୍ଟ ଶବ୍ଦରେ ଦୁଲୁକି ଉଠିଥିଲା ସହର। ଆଜି ଅପରାହ୍ଣ ୪ଟାରେ ପ୍ରତ୍ୟାବର୍ତ୍ତନ କାର୍ୟ୍ୟକ୍ରମ ରହିଥିବା ବେଳେ ମଙ୍ଗଳ ଆଳତୀ ଓ ଯୁଗଳ ଦର୍ଶନ ଶୋଭାଯାତ୍ରା ରାତି ୧୧ଟାରୁ ଆରମ୍ଭ ହେବାର ସୂଚନା ରହିଛି । ଆସନ୍ତାକାଲି ୪ଟାରେ ଦେବ ଦମ୍ପତି ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଲୋକରଣ୍ୟ ହୋଇ ଉଠିଛି । ସାରା ସହରରେ ଉତ୍ସବର ମାହୋଲ ରହିଥିବା ବେଳେ ଆଖପାଖ ଅଞ୍ଚଳର ଲୋକଙ୍କର ଭିଡ ମଧ୍ୟ ଜମିଛି । ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପରିମାଣର ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.