ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ :ଜାତୀୟ ସିନିୟର ଆଥଲେଟିକ୍ ମିଟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

Dutee chandଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ । ଜାତୀୟ ସିନିୟର ଆଥଲେଟିକ୍‌ ମିଟ୍‌ ସଫଳତା ପରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଦୂତୀ ଚାନ୍ଦ । ସଫଳତା ନେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନିକଟରେ ଗୌହାଟୀରେ ଅନୁଷ୍ଠିତ ଆଥଲେଟିକ୍‌ ମିଟ୍‌ର ଶହେ ମିଟରରେ ସ୍ୱର୍ଣ୍ଣ ପଦକ ଜିତିବା ସହ ନୂଆ ଜାତୀୟ ରେକର୍ଡ କରିଥିଲେ । କିଟ୍‌ ଛାତ୍ରୀ ଦୂତୀ ୧୧ ଦଶମିକ ୨୯ ସେକେଣ୍ଡ ନେଇ ତାଙ୍କ ନିଜ ନାଁରେ ଥିବା ୧୧.୩୦ ସେକେଣ୍ଡ ରେକର୍ଡ଼କୁ ଭାଙ୍ଗିଥିଲେ । ଏବେ ଲକ୍ଷ୍ୟ ଆସନ୍ତା ଅଗଷ୍ଟରେ ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍‌ ଆଥଲେଟିକ୍‌ ମିଟ୍‌ରେ ପଦକ ହାସଲ କରିବା ।

ଦିନକୁ ଦିନ ସ୍ପୋର୍ଟସ୍‌ ହବ୍‌ ହେଉଛି ଓଡ଼ିଶା । ରାଜ୍ୟର ବହୁ ଖେଳାଳି ଜାତୀୟ ଓ ଅନ୍ତର୍ଜୀତୀୟ ସ୍ତରରେ ସଫଳତା ସାଉଁଟୁଛନ୍ତି । ଦୂତୀଙ୍କ ସହ ଜାକର୍ତ୍ତା ଏସିଆନ୍‌ ଆଥଲେଟିକ୍‌ ମିଟ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌ । ଏମାନଙ୍କ ସହ ଏସିଆଡ୍‌ରେ ଦବଦବା ଦେଖାଇବେ ଓଡ଼ିଆ ମହିଳା ବ୍ୟାଡମିଣ୍ଟନ୍‌ ଷ୍ଟାର ଋତୁପର୍ଣ୍ଣା ପଣ୍ଡା । ୨୦ ଜଣିଆ ଟିମ୍‌ର ତାଙ୍କୁ ସ୍ଥାନ ମିଳିଛି ।

ଓଡ଼ିଆ ଖେଳାଳି ଦୀପସାନ ତିର୍କୀ ହୋଇଛନ୍ତି ୨୩ ବର୍ଷରୁ କମ୍‌ ଭାରତୀୟ ହକି ଟିମ୍‌ ଅଧିନାୟକ । ତାଙ୍କ ସହ ଟିମ୍‌ରେ ସ୍ଥାନ ପାଇଛନ୍ତି ଅନ୍ୟ ୨ ଓଡ଼ିଆ ନିଲମ୍‌ ସଞ୍ଜୀବ ଖେସ୍‌ ଓ ଶିଳାନନ୍ଦ ଲାକ୍ରା । ଜୁଲାଇ ୧୪ରୁ ବେଲଜିୟମରେ ଷଡ଼ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଏମାନେ ଖେଳିବେ । ସେହିପରି ନିକଟରେ ନେରଦଲ୍ୟାଣ୍ଡରେ ଶେଷ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ହକିରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । କଡ଼ା ଟକ୍କର ସତ୍ତ୍ୱେ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା ଟିମ୍‌ ଇଣ୍ଡିଆ । ଏବେ ହକିରେ ଓଡ଼ିଶା ଟିମ୍‌ ଇଣ୍ଡିଆର ପ୍ରାୟୋଜକ ରହିଛି । ଓଡ଼ିଶା ପ୍ରାୟୋଜକ ହେବା ପରେ ଏହା ଭାରତର ବଡ଼ ଅଭିଯାନ ଥିଲା । ସେହିପରି ଆସନ୍ତା ନଭେମ୍ବର ୨୮ ତାରିଖରୁ ଓଡ଼ିଶାରେ ହେବ ହକିର କ୍ରୀଡ଼ା ମହାକୁମ୍ଭ ବିଶ୍ୱକପ୍‌ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଏବେ ସଜେଇ ହେଉଛି । ନିକଟରେ ହକି ଫେଡେରେସନ୍‌ର ପ୍ରତିନିଧି ମଣ୍ଡଳୀ ଓଡ଼ିଶା ଆସି ବିଶ୍ୱକପ୍‌ ପ୍ରସ୍ତୁତି ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ । ସେହିପରି ଲଣ୍ଡନରେ ହେବ ଓଡ଼ିଶା ବିଶ୍ୱକପ୍‌ର ବ୍ରାଣ୍ଡିଂ ।

Leave A Reply

Your email address will not be published.