କ୍ଷୁଦ୍ର ଗଳ୍ପ ସଂକଳନ ‘ଶେଷ ଚିଠି’ ଓ ଆଧ୍ୟାତ୍ମିକଧର୍ମୀ ପୁସ୍ତକ ‘ଭାଗବତ କଥାମୃତ’ ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ।

ଶେଷ ଚିଠି ଏକ କ୍ଷୁଦ୍ର ଗଳ୍ପ ସଂକଳନ । ଏଥିରେ ଉପକୂଳ ଓଡିଶାର ଅର୍ଦ୍ଧ ଶତାଦ୍ଦୀ ତଳର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ଅବସ୍ଥାର ନିଛକ ଚିତ୍ର ପ୍ରତିଫଳିତ ହୋଇଛି। ୨୩ଟି ଗଳ୍ପର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ପାଠକକୁ ହଜି ଯାଇଥିବା ଏକ ସମୟର ପରିଧିକୁ ଫେରାଇ ନେବାରେ ସକ୍ଷମ ହୋଇପାରିଛି । ବିଶିଷ୍ଟ ସାହିତ୍ୟିକ ଶ୍ରୀ ରାମଚନ୍ଦ୍ର ବେହେରା ଏହି ପୁସ୍ତକର ‘ଭୂମିକା’ ଲେଖିଛନ୍ତି ।

ଭାଗବତ କଥାମୃତ ଏକ ଆଧ୍ୟାତ୍ମିକଧର୍ମୀ ପୁସ୍ତକ । ଏଥିରେ ଭାଗବତର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ୪୪ଟି ଆଧ୍ୟାତ୍ମକ କଥାବସ୍ତୁ ସ୍ଥାନ ପାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ ଏହି ପୁସ୍ତକରେ ନିଜର ଅଭିମତ ରଖିଛନ୍ତି । ଏହି ଦୁଇଟିଯାକ ପୁସ୍ତକ ଭୁବନେଶ୍ବରର ଅପୂର୍ବା ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ହୋଇଛି ।

ଲେଖକ ଶ୍ରୀ ବୈଷ୍ଣବ ପ୍ରସାଦ ମହାନ୍ତି ସୂଚନା ଓ ଲୋକସଂପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ତଥା ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ଭାବରେ ଦୀର୍ଗ ଦିନ କାର୍ଯ୍ୟ କରିଥିଲେ । ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ତାଙ୍କର ବିଶେଷ ରୁଚି ରହିଛି । ପୂର୍ବରୁ ସେ ଶ୍ରୀମଦ୍‌ ଭାଗବତ ଗୀତାର ଓଡିଆ ପଦ୍ୟାନୁବାଦ ପ୍ରସ୍ତୁତ କରିଛନ୍ତି ।

Leave A Reply

Your email address will not be published.