ସହଜରେ ସାଧାରଣ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ କିମ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌

ଭୁବନେଶ୍ବର(କେନ୍ୟୁଜ୍):  ଚିକିତ୍ସା କ୍ଷେତ୍ରରେ କିମ୍‌ସର ଅଭିନବ ପଦକ୍ଷେପ। ସହଜରେ ସାଧାରଣ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା। କିଟ୍‌ ବିଶ୍ୱବିଦ୍ୟାଳୟ ଅଧୀନରେ ୨୦୦୭ ମସିହାରେ ଖୋଲିଥିବା କିମ୍‌ସ ମେଡିକାଲ କଲେଜର କଳେବର ବୃଦ୍ଧିପାଇଛି। ଏଠାରେ ଏମ୍‌ବିବିଏସ୍‌, ଡେଣ୍ଟାଲ୍‌ ଓ ନର୍ସିଂ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ବୃଦ୍ଧି ପାଇବା ସହ ବିଭିନ୍ନ ବିଭାଗରେ ମଧ୍ୟ ସ୍ନାତକୋତ୍ତର (ପିଜି) ପାଠକ୍ରମ ଖୋଲିଛି। କିମ୍‌ସ ଏକ ଘରୋଇ ମେଡିକାଲ କଲେଜ ଭାବେ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଏହା ଅଧିନରେ ପରିଚାଳିତ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‌ ହସ୍ପିଟାଲ୍‌ (ପିବିଏମ୍‌ଏଚ୍‌) ସମଗ୍ର ପୂର୍ବ ଭାରତରେ ବେଶ୍‌ ଖ୍ୟାତି ଅର୍ଜନ କରିପାରିଛି।

kims 23

୨୦୧୩ ମସିହାରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ୧୩୦୦ ଶଯ୍ୟା ବିଶିଷ୍ଟ ପିବିଏମ୍‌ଏଚର ଶୁଭ ଉଦ୍‌ଘାଟନ ହୋଇଥିଲା। ଏବେ ପିବିଏମ୍‌ଏଚ୍‌ର କଳେବର ମଧ୍ୟ ବୃଦ୍ଧି ପାଇଛି। ଏହା ଏବେ ସାଧାରଣ ରୋଗୀ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଏସ୍‌କେୱାଇ କାର୍ଡଧାରୀ ରୋଗୀଙ୍କ ପାଇଁ ୧୬ଶହ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରିଣତ ହୋଇଛି। ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଏହା ଉଦ୍‌ଘାଟିତ ହୋଇଛି। ପ୍ରଥମଥର ଲାଗି ସମଗ୍ର ଭାରତବର୍ଷରେ ସାଧାରଣ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଥାଇ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏତେ ସଂଖ୍ୟକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ଖୋଲିବା ଓଡିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଛଡ଼ା ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ଓ ୩୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉପଲବ୍ଧ। ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଏ ତାହା ହେଉଛି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ମୂଳ ଲକ୍ଷ୍ୟ। ଏହି ହସ୍ପିଟାଲ୍‌ କ୍ୟାମ୍ପସ ସଂପୂର୍ଣ୍ଣ ସବୁଜମୟ । ଏଠାରେ ପୂର୍ବରୁ ୪ ହଜାର କର୍ମଚାରୀ କାର୍ଯ୍ୟରତ ଥିବାବେଳେ ଏବେ ଆଉ ୩ହଜାର କର୍ମଚାରୀ ଯୋଗଦେବା ପରେ ମୋଟ କର୍ମଚାରୀ ସଂଖ୍ୟା ୭ ହଜାର ହୋଇଛି।

ସୁପରସ୍ପେସିଆଲିଟି ହସ୍ପିଟାଲ୍‌ :

ଉତ୍ତମ ଅତ୍ୟାଧୁନିକ ଚିକିତ୍ସା ସେବା ପାଇବାକୁ ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। କିମ୍‌ସ ସୁପରସ୍ପେସିଆଲିଟି ହସ୍ପିଟାଲରେ ୧୨ଟି ସୁପରସ୍ପେସିଆଲିଟି ବିଭାଗ ରହିଛି। ସେଥିରେ ହୃଦ୍‌ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‌ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‌ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‌ ସର୍ଜରୀ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ଆଦି ରହିଛି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି। ଏହି ସବୁ ସୁପରସ୍ପେସିଆଲିଟି ବିଭାଗ ଛଡ଼ା ରୋଗୀମାନେ ମେଡ଼ିସିନ୍‌, ସର୍ଜରୀ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଣ୍ଣ-ନାସା-ଗଳା, ଛାତିରୋଗ, ଚର୍ମରୋଗ, ଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।

କର୍କଟ ରୋଗ ଚିକିତ୍ସା କେନ୍ଦ୍ର

କିମ୍‌ସର ନବନିର୍ମିତ ଅତ୍ୟାଧୁନିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ର କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଗୋଟିଏ ସ୍ଥାନରେ କର୍କଟ ରୋଗୀ ସବୁ ପ୍ରକାର ଚିକିତ୍ସା ସୁବିଧା ପାଇପାରିବେ। କିମ୍‌ସ କର୍କଟ ରୋଗ କେନ୍ଦ୍ରରେ ମେଡିକାଲ୍‌ ଅନକୋଲୋଜି, ସର୍ଜିକାଲ ଅନକୋଲୋଜି, ନ୍ୟୁକ୍ଲିଅର୍‌ ମେଡିସିନ୍‌, ରେଡିଏସନ୍‌ ଅନକୋଲୋଜି ଏବଂ ପାଲିଏଟିଭ୍‌ କେୟାର ଆଦି ସୁପରସ୍ପେସିଆଲିଟି ସୁବିଧା ଉପଲବ୍ଧ । ଦେଶର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ବିଧୁ କଲ୍ୟାଣ ମହାନ୍ତି ଏହି କେନ୍ଦ୍ରର ମୁଖ୍ୟ ଅଛନ୍ତି। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଆଜି ସୁପର ସ୍ପେସିଆଲିଟି ହସ୍ପିଟାଲ ଓ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.