କିମିଆ କଲା କାଳିଆ! ସୁଦୂର ଆମେରିକାରୁ ଆସି ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଦମ୍ପତି ଦାନ କରିବେ ୧ କୋଟି

ଯାଜପୁର ଟାଉନ(କେନ୍ୟୁଜ୍‌):  କିମିଆ କଲା କାଳିଆ! କାଳିଆ ପ୍ରେମରେ ସବୁ କିଛି କରିବାକୁ ପ୍ରସ୍ତୁତ। ଖାସ କାଳିଆ ଡୋରି ଟାଣି ଆଣିଛି ସୁଦୂର ଆମେରିକାରୁ। ମହାପ୍ରଭୁଙ୍କ ପ୍ରେମରେ ବିଭୋର ହେଲେ ଆଉ ନିଜ ଭିଟାମାଟି ଠାରୁ ହଜାର ହଜାର ମାଇଲ ଦୂରରେ ରହି ମଧ୍ୟ ଗାଁ ରେ ଜଗନ୍ନାଥ ମନ୍ଦିର କରିବାର ସ୍ୱପ୍ନ ଦେଖିଲେ ଏହି ଦମ୍ପତି। ଆମେ କହୁଛୁ ଡାକ୍ତର ଭାସ୍କର ନାୟକ ଏବଂ ତାଙ୍କ ପତ୍ନୀ ଇନ୍ଦ୍ରଜିତାଙ୍କ କଥା।

ସ୍ୱପ୍ନ କୁ ପୂରଣ କରିବା ପାଇଁ ଯାଜପୁର ଜିଲ୍ଲା ବେରୁଦା ପଂଚାୟତ ଜଗତପୁର ଗାଁରେ ଏବେ ମନ୍ଦିରର ଭିତି ପ୍ରସ୍ତର ଆରମ୍ଭ ହୋଇଛି ତାଙ୍କରି ହାତରେ। ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଅଛି ସତ କିନ୍ତୁ ନିଜେ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କା ସହାୟତା କରିବାକୁ ଘୋଷଣା  କରିଛନ୍ତି ଏହି ଦମ୍ପତି। ବାପା ଜଗନ୍ନାଥଙ୍କ ବଡ଼ ଭକ୍ତ ଥିଲେ ଏବଂ ପିଲାବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବା ଘଟଣାକୁ ମନେ ପକେଇ ଭାବବିହ୍ଵଳ ହୋଇପଡିଥିଲେ ଡାକ୍ତର ଭାସ୍କର।

ଭାସ୍କର ଗତ ୪୩ ବର୍ଷ ଧରି ନ୍ୟୁୟର୍କ ସହରରେ ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି। ତଥାପି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଡାକ୍ତର ଦମ୍ପତିଙ୍କ ଭକ୍ତି ଅତୁଟ ରହିଛି। କେବଳ ଜଗନ୍ନାଥ ଭକ୍ତି ନୁହେଁ ପୂର୍ବରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ନିଜସ୍ୱ ଉଦ୍ୟମରେ ଏକ ମେଡ଼ିକାଲ ମଧ୍ୟ ଖୋଲିଛନ୍ତି। ମନ୍ଦିର ପାଇଁ ଆବଶ୍ୟକୀୟ ଜମି ସ୍ଥାନୀୟ ଗ୍ରାମବାସୀ ଦାନ କରିଛନ୍ତି। ଓଡିଆ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର କରିବା ପାଇଁ ସେ ଆମେରିକାରେ ମଧ୍ୟ ତାଙ୍କରି ଉଦ୍ୟମ ରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ମଧ୍ୟ ହୋଇଛି। ଭାସ୍କରଙ୍କ ମନ୍ଦିର ତୋଳିବା ନିଷ୍ପତ୍ତିକୁ ନେଇ ଜଗତପୁରବାସୀ ବେଶ ଉତ୍ସାହିତ ଅଛନ୍ତି।

ସବୁ ସେଇ କାଳିଆର ମାୟା। ଓଡ଼ିଶା ନୁହେଁ ଭାରତ ବାହାରେ ରହି ମଧ୍ଯ ଜଗନ୍ନାଥଙ୍କୁ ଏତେ ମାତ୍ରାରେ ଭଲ ପାଇବା ଆଉ ଓଡିଆ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର କରିବା ସତରେ ଏକ ବିରଳ ଘଟଣା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.