କ୍ରାଇମବ୍ରାଞ୍ଚ୍ କବଜାରେ ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସାର୍ପ ସୁଟର୍

ଭୁବନେଶ୍ବର: ଅଧିକରୁ ଅଧିକ ଖୋଲୁଛି ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ଲିଙ୍କ୍‌ର ଗୁମର । କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ପଞ୍ଝାରେ ପଡ଼ିଛନ୍ତି ଟିଟୋ ଗ୍ୟାଙ୍ଗ୍‌ର ୨ଜଣ ସାର୍ପ ସୁଟର । ସେମାନେ ହେଲେ ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀ ଓ ସେକ୍‌ ସୟଦ । ଦୁଇ ଜଣଙ୍କ ନାଁରେ ୨୫ରୁ ଅଧିକ ମାମଲା ରହିଛି । ସେମାନେ ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ ଓ ଅନ୍ୟ ଅପରାଧିକ ମାମଲାରେ ସଂପୃକ୍ତ ଅଛନ୍ତି । ଟିଟୋର ସାନଭାଇ ସପୋର ଡାହାଣ ହାତ ହେଉଛି ବାବୁଲା ପତ୍ରୀ । ଶ୍ୟାମ ଗୁଡ଼ିଆ ଅଞ୍ଚଳରେ ୭୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ନିର୍ମାଣ ସାମଗ୍ରୀ ଯୋଗାଇବା ପାଇଁ ବାବୁଲା ସହାୟତାରେ ସପୋ ଟେଣ୍ଡର ଧରିଥିଲା । ପୂର୍ବରୁ ବାବୁଲା ସପୋ ସହ ଟେଣ୍ଡର ଫିକ୍ସଂ ମାମଲାରେ ମଧ୍ୟ ଗିରଫ ହୋଇଥିଲା । ଦୁଇ ସାର୍ପ ସୁଟରଙ୍କୁ ମିଶାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଏଯାଏଁ ଟିଟୋ ସହ ଅନ୍ୟ ୯ ଜଣଙ୍କୁ ଗିରଫ କରି ସାରିଛି ।

ଏପଟେ ତୃତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନରେ ଟିଟୋକୁ ମାରାଥନ ଜେରା । ତାକୁ କ୍ରାଇମ୍‌ବ୍ରାଞ୍ଚ୍‌ ଆଇଜି ଅରୁଣ ବୋଥ୍ରା ଜେରା କରିଛନ୍ତି । ଜେରା ବେଳେ ତା’ ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାଯାଇଛି । ବିଶେଷକରି, କ୍ରାଇମ୍‌ ନେଟଓ୍ଵର୍କରେ ତାକୁ କେଉଁମାନେ ସହଯୋଗ କରୁଥିଲେ, ସେନେଇ ଖୋଳତାଡ଼ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ । ସେହିପରି ପାରାଦୀପର ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କୁ ଟିଟୋ ଲିଙ୍କ୍‌ ନେଇ ଜୋର୍‌ସୋର୍‌ ପଚରାଉଚରା କରାଯାଉଛି । ପୂର୍ବରୁ ଟିଟୋର ପତ୍ନୀ ବେନଜିରଙ୍କୁ ମଧ୍ୟ ଏସଟିଏଫ୍‌ର ତିନିଜଣିଆ ଟିମ୍‌ ଜେରା କରିଥିଲା । ଆର୍ଥିକ କାରବାର ସାଙ୍ଗକୁ ପେଟ୍ରୋଲ ପମ୍ପ ନେଇ ପଚରାଉଚରା କରାଯାଇଛି । ଟିଟୋ ଗିରଫ ହେବା ପରେ ତା’ର ୩ ଜଣ ଭାଇ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ କ୍ରାଇମବ୍ରାଞ୍ଚ ଖୋଜୁଛି । ଟିଟୋକୁ ପୂର୍ବରୁ କ୍ରାଇମବ୍ରାଞ୍ଚ୍‌ ଦୁଇଟି ପର୍ଯ୍ୟାୟରେ ୯ ଦିନ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଥିଲା । ଆସନ୍ତାକାଲି ତିନି ଦିନିଆ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.