ଫ୍ଲାଟ୍‌ ପାଇଁ ଏଣିକି ଗ୍ରାହକଙ୍କୁ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଚାର୍ଜ, ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ନିୟମ-୨୦୧୭ରେ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍): ଫ୍ଲାଟ୍‌ ପାଇଁ ଏଣିକି ଗ୍ରାହକଙ୍କୁ ଆଉ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବନି । ବିଲଡର ଗ୍ରାହକଙ୍କଠାରୁ ଜିଟଏସଟି, ସେସ୍‌ କି ଅନ୍ୟାନ୍ୟ କୌଣସି ଟିକସ ଠକି ନେଇ ପାରିବେ ନାହିଁ । ଘର ମୂଲ୍ୟ ବାଦ ଆଉ କିଛି ଟିକସ ଘର କିମ୍ବା ଜମି କ୍ରେତାଙ୍କଠାରୁ ନେଇପାରିବେ ନାହିଁ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା । ଏଥିପାଇଁ ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ନିୟମ-୨୦୧୭ରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିରେ ଗ୍ରାହକଙ୍କ ପାଇଁ ବ୍ୟାପକ ସୁବିଧା କରାଯାଇଛି । ଭବିଷ୍ୟତରେ କିଛି ଟିକସ ବ୍ୟବସ୍ଥା ବଦଳିଲେ, ସେହି ଅନୁସାରେ ଅତିରିକ୍ତ ଟିକସ ଦେବେ ଗ୍ରାହକ । ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ନିର୍ମାଣ ଖର୍ଚ୍ଚ, ଟିକସକୁ ମିଶାଇ ଘରର ମୂଲ୍ୟ ଧାର୍ଯ୍ୟ କରିବେ । ସେହିପରି ଧାର୍ଯ୍ୟ ସମୟଠାରୁ ବିଳମ୍ବରେ ପ୍ରକଳ୍ପ ଶେଷ ହେଲେ କ୍ରେତା ଘର ପାଇଁ ଅଧିକ ଅର୍ଥ ଦେବେନି । ଏନେଇ ବାଧ୍ୟ କରିପାରିବେ ନାହିଁ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା । ଆପାର୍ଟମେଣ୍ଟରେ ସର୍ବସାଧାରଣ ବ୍ୟବହାର ପାଇଁ ଥିବା ଅଞ୍ଚଳଗୁଡ଼ିକୁ ପୃଥକ ପୃଥକ କରି ବିକ୍ରି କରାଯାଇ ପାରିବ ନାହିଁ । ଏହାଦ୍ୱାରା ବିଲଡରମାନେ ପାର୍କିଂ ଅଞ୍ଚଳ ବାବଦକୁ ଯେଉଁ ଅର୍ଥ ନେଉଥିଲେ ତାହା ନେଇ ପାରିବେନି ।

ପାର୍କିଂ ଅଞ୍ଚଳରେ କୌଣସି କଟକଣା ରହି ପାରିବ ନାହିଁ । ସମସ୍ତେ ସବୁ ଅଞ୍ଚଳକୁ ବ୍ୟବହାର କରିପାରିବେ । ସର୍ବସାଧାରଣ ସ୍ଥାନରେ ଅଗ୍ନି ନିର୍ବାପକ ସରଞ୍ଜାମ ଲାଗିଥିଲେ ଏବାବଦରେ ଅର୍ଥ ନେଇ ପାରିବେ ନାହିଁ ବିଲଡର । ତାହା ଘର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ । ଘର କିମ୍ବା ଜମି ଯିଏ ବୁକିଂ କରିଥିବେ ସିଏ ଘର କାମ ବୁଲି ଦେଖି ପାରିବେ ।

ପ୍ରକଳ୍ପକୁ ଅକୁପାନ୍ସି ସାର୍ଟିଫିକେଟ ମିଳିବାର ୨ ମାସ ଭିତରେ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ଡିଡ୍‌ କରିବାକୁ ବାଧ୍ୟ । ଗ୍ରାହକଙ୍କର କିଛି ଅସୁବିଧା ଥିଲେ ଏହାକୁ ଆଉ ମାସେ ଘୁଞ୍ଚାଇପାରିବେ । ଘରେ ରହିବା ପରେ ଗ୍ରାହକ ରକ୍ଷଣାବେକ୍ଷଣ ବାବଦରେ ଫି ଦେବେ ।

Leave A Reply

Your email address will not be published.