ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍: ଖାରବେଳ ନଗର ଅଞ୍ଚଳର ଜଣେ ଯୁବକଙ୍କଠାରୁ ୫୨ହଜାର ଟଙ୍କା ଚଳୁ କଲେ ଠକ

ଭୁବନେଶ୍ବର: ଚିନ୍ତା ବଢ଼ାଉଛି ସାଇବର କ୍ରାଇମ୍ । କେତେବେଳେ ଲଟେରୀ ଲୋଭ ଦେଖାଇ ଲୁଟୁଛନ୍ତି ତ ଆଉ କେତେବେଳେ ଧମକ ଦେଇ ଗ୍ରାହକ ଠାରୁ ଲୁଟ କରୁଛନ୍ତି । ପ୍ରତିଦିନ ମାଳମାଳ ଅଭିଯୋଗ ସାଇବର ଥାନାରେ ରୁଜୁ ହୋଉଛି । ହ୍ପାଟସପ, ଫୋନ ପେ, ଗୁଗୁଲ ପେ, ଅନଲାଇନ୍‌ ଟ୍ରାଞ୍ଜାକ୍ସନ କୁ ହ୍ୟାକ କରି ଗ୍ରାହକଙ୍କ ଟଙ୍କା ଲୁଟୁଛନ୍ତି ଲୁଟେରା । କେତେବେଳେ ଲୋଭନୀୟ ଲଟେରୀ ଲାଗିଥିବା କହି ମେସେଜ ପଠାଉଛନ୍ତି, ଆଉ କେତେବେଳେ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଦାଖଲ କରିବା ନାରେ ପାସଓ୍ଵାର୍ଡ ମାଗି ଚୁନ ମାରୁଛନ୍ତି ।

ଗତକାଲି ଖାରବେଳ ନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ୪ହଜାର ଟଙ୍କାର ଲଟେରୀ ଲାଗିଥିବା କହି ୫୨ହଜାର ଟଙ୍କା ନେଇ ଖାଲି କରିଦେଲେ ଆକାଉଣ୍ଟ । କେବଳ ଏତିକି ନୁହେଁ, ଲୋକଙ୍କ ପାଖକୁ ପୁଳା ପୁଳା ଟଙ୍କାର ଭିଡିଓ ବି ପଠାଉଛନ୍ତି ଠକ ।

ସେପଟେ ସାଇବର ଅପରାଧକୁ ରୋକିବା ପାଇଁ ଅଣ୍ଟା ଭିଡିଛି କମିଶନରେଟ ପୋଲିସ । ଏଥିପାଇଁ କେନ୍ଦ୍ର ସରକାରଙ୍କ ‘ସାଇବର ସେଫ୍‌’ ଜରିଆରେ ଅପରାଧିଙ୍କ ପାଖରେ ପହଁଞ୍ଚିବାକୁ ଉଦ୍ୟମ ହୋଇଛି । ବିଶେଷ କରି ଯେଉଁ ସବୁ ନମ୍ବର ଗୁଡିକରୁ କଲ ଆସୁଛି, ସେହି ନମ୍ବର ଗୁଡିକୁ ସାଇବର ସେଫ୍‌ କୁ ପଠାଇ ତାକୁ ବ୍ଲକ କରି ଦିଆଯାଉଛି । ଏବେ ସୁଦ୍ଧା ୨ଶହରୁ ଅଧିକ ନମ୍ବରକୁ ସାଇବର ସେଫକୁ ପଠାଇଛନ୍ତି କମିଶନରେଟ ପୋଲିସ ।

ସାଇବର ଅପରାଧ ରୋକିବା ପାଇଁ ଅନେକ କିଛି ନୂତନ ଜ୍ଞାନ କୌଶଳ ବ୍ୟବହାର କରି ତଦନ୍ତ କରୁଛି ପୋଲିସ । ଏପରିକି ଏଭଳି ଫୋନ୍‌ କଲ କିମ୍ବା ମେସେଜ ଆସିଲେ ପୋଲିସର ଦ୍ୱାରସ୍ଥ ହୁଅନ୍ତୁ ବୋଲି ସାଧାରଣ ଲୋକଙ୍କୁ ଅପିଲ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.