ଜଗତସିଂହପୁର ଜିଲ୍ଲାର ୨ବର୍ଷ ୯ମାସର ଦେବାନ୍ସି : ଓଡ଼ିଆ ଇଂରାଜୀର ସାଧାରଣ ଜ୍ଞାନ କହି ଏବେ ଇଣ୍ଡିଆ ବୁକ୍ ଅଫ ରେକର୍ଡସର ଅଧିକାରୀ

ଜଗତସିଂହପୁର(କେନ୍ୟୁଜ୍‌): ଜଗତସିଂହପୁର ଜ଼ିଲ୍ଲାର ବିସ୍ମୟ ଶିଶୁ କନ୍ଯା ଦେବାନ୍ସି ରାୟ। ଯାହାଙ୍କ ବୟସ ମାତ୍ର ୨ବର୍ଷ ୯ ମାସ। ଯେଉଁ ବୟସରେ ପିଲାମାନେ କଥା କହିବା ଠିକରେ ଶିଖି ନଥାନ୍ତି, ଆଜି ସେହି କୋମଳ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ହାସଲ କରିଛନ୍ତି ଦେବାନ୍ସି। କୁନି କୁନି ଓଠରେ ଅନର୍ଗଳ କହି ଚାଲିଛନ୍ତି ଅସରନ୍ତି ପ୍ରଶ୍ନର ଉତ୍ତର। ୬ମାସ ବୟସରେ ବାପାଙ୍କୁ ହରାଇଥିବା ଏହି କୁନି ଝିଅ ନିଜ ମାଙ୍କ ତତ୍ୱାବଧାନରେ ନିଜର ପ୍ରତିଭା ପ୍ରକାଶ କରିଛନ୍ତି।

girl

ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଜଂକୋଠି ପଞ୍ଚାୟତ ର ବିରିବାଟୀ ଗାଁରେ ୨୦୧୯ମସିହା ଜୁଲାଇ ମାସ ୨୭ ତାରିଖରେ ପିତା ସନ୍ତୋଷ ରାୟ ଓ ମାତା ସ୍ବର୍ଣ୍ଣପ୍ରଭା ଜେନାଙ୍କ କୋଳ ମଣ୍ଡନ କରିଥିଲେ ଦେବାନ୍ସି ରାୟ। ଦେବାନ୍ସିଙ୍କୁ ମାତ୍ର ୬ମାସ ହୋଇଥିବାବେଳେ ପିତା ସନ୍ତୋଷଙ୍କର ଦେହାନ୍ତ ହୋଇଥିଲା। ମାତ୍ର ସନ୍ତୋଷଙ୍କ ପତ୍ନୀ ସ୍ବର୍ଣ୍ଣପ୍ରଭା ଭାଙ୍ଗି ନପଡ଼ି ଏକମାତ୍ର କୁନି ଝିଅ ଦେବାନ୍ସି ଙ୍କ ଦାୟିତ୍ବ ତୁଲାଇବା ସହିତ ତାଙ୍କର ପ୍ରତିଭାକୁ ପରିପ୍ରକାଶ କରାଇଲେ। ସାଧାରଣ ଜ୍ଞାନ, ବେଦ ଓ ଶ୍ଳୋକ ଆଦି କୁନି ଓଠରେ ମିଠା ମିଠା ଶବ୍ଦ ଶୁଣି ଶୁଣି ସବୁ ଦୁଃଖକୁ ଭୁଲି ଯାଇଛନ୍ତି ଦେବାନ୍ସିଙ୍କ ମା।

ଖୁବ କମ ବୟସରେ ନିଜର ଜ୍ଞାନ ଗାରିମା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇ ଯୋଗ୍ଯ ବିବେଚିତ ହୋଇ ମେଡାଲ ପାଇଛନ୍ତି । ସର୍ବଭାରତୀୟ ସ୍ତରରେ ହେଉଥିବା ଏହି ପ୍ରତିଯୋଗିତାରେ ସେ ୨୦ଟି ଫୁଲର ନାମ , ୨୦ଟି ଫଳର ନାମ ୧୮ଟି ପକ୍ଷୀ, ୨୧ଟି ପରିବା, ୪୨ଟି ପଶୁ, ୮ଟି କୀଟ ପତଙ୍ଗ, ୮ଟି ସରୀସୃପ, ୧୭ଟି ଯାନବାହାନ, ୧୮ଟି ବାଦ୍ୟଯନ୍ତ୍ର, ୧୬ଟି ଜୀବିକା, ୧୨ଟି ରଙ୍ଗ ଓ ୧୩ଜଣ ପ୍ରସିଦ୍ଧ ବ୍ଯକ୍ତିତ୍ୱ ଙ୍କର ନାମକୁ ଚିହ୍ନି କହିପାରୁଛନ୍ତି । ତାସହିତ ଏହି କୁନି ବିସ୍ମୟ ବାଳିକା ୧୫ଟି ପଶୁ ମାନଙ୍କ ଛୁଆଙ୍କ ନାମ ଇଂରାଜୀରେ କହିପାରୁଥିବା ବେଳେ ଭାରତର ପ୍ରସିଦ୍ଧ ବ୍ଯକ୍ତିତ୍ୱ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ମୁଖ୍ଯମନ୍ତ୍ରୀଙ୍କ ନାମ ସମେତ ଦେଶର ସମସ୍ତ ରାଜ୍ଯ ଏବଂ ରାଜ୍ଯର ରାଜଧାନୀ ଓ କେନ୍ଦ୍ରଶାସିତ ଅଂଚଳର ନାମ ନିମିଷକେ କହିପାରୁଛନ୍ତି ।

talent

ଏହା ସହିତ ଇଂରାଜୀରେ ଭାରତୀୟ ଜାତୀୟ ପଶୁ, ପକ୍ଷୀ, ଜାତୀୟ ନଦୀ, ଜାତୀୟ ପତାକା ର ନାମ, ବର୍ଷର ସମସ୍ତ ମାସର ନାମ, ସପ୍ତାହର ପ୍ରତେକ ଦିନର ନାମ,ମନୁଷ୍ଯ ଶରୀରର ୩୦ଟି ଅଙ୍ଗ ପ୍ରତ୍ୟଙ୍ଗର ନାମ, ୨ଟି ଶ୍ଳୋକ, ୮ଟି କବିତା ଅନର୍ଗଳ ଭାବରେ ସେ କହିପାରୁଛନ୍ତି ଓ ଭାରତ ମାନଚିତ୍ର ଦେଖି ସମସ୍ତ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିହ୍ନି ବି ପାରୁଛନ୍ତି । ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ତାଙ୍କ ନାମ ସ୍ଥାନ ପାଇ ସେ ସମ୍ବର୍ଦ୍ଧିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.