୪୬ % ମାର୍କ ରଖିଥିବା ଡିଗ୍ରୀ କଲେଜର ଅଧ୍ୟକ୍ଷାଙ୍କ ବହିସ୍କାର ଦାବିରେ ବିଧାନସଭା ଆଗରେ ଧାରଣା ଜାରି, ଉଚ୍ଚ ଅଫିସରଙ୍କୁ ଦାୟୀ କଲେ ବିକ୍ଷୋଭକାରୀ

କେନ୍ୟୁଜ(ବ୍ୟୁରୋ) : ଦୀର୍ଘ ଦିନର ପୁଞ୍ଜିଭୁତ କ୍ରୋଧ ଆଜି ବିସ୍ଫୋରଣର ରୂପ ନେଇଛି । ଫଳରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଜପକୁଦ ମହିଳା ଡିଗ୍ରୀ କଲେଜର କିଛି କର୍ମଚାରୀ ଓ ଉକ୍ତ ଅଂଚଳର ଜନସାଧାରଣ । ଅଭିଯୋଗ ଅନୁଯାୟୀ, ଦୀର୍ଘ ମାସ ଧରି ବିଭିନ୍ନ ଚିଠି ମାଧ୍ୟମରେ ଉକ୍ତ କଲେଜର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ଓ କଲେଜର ସଭାପତି ତାଙ୍କ ବାପା ବିଜୟ କୃଷ୍ଣ ମିଶ୍ରଙ୍କ ବିଭିନ୍ନ ଅନିୟମିତତା ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଓ ମୁଖ୍ୟ ସଚିବଙ୍କୁ ଅଭିଯୋଗ ହୋଇ ଆସୁଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ବଦଳରେ ସଚିବଙ୍କ ନୀରବତା ଆଜି ବିକ୍ଷୋବକାରୀଙ୍କୁ ଆନ୍ଦୋଳନ ଓ ଧାରଣା କରିବାକୁ ବାଧ୍ୟ କରିଛି । ଫଳରେ ଆଜି ବିଧାନସଭା ଆଗରେ ଅଧ୍ୟକ୍ଷାଙ୍କ ବହିସ୍କାର ଓ ଉଚ୍ଚ ଶିକ୍ଷା ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିକ୍ଷୋଭକାରୀ ଅଡିବସିଛନ୍ତି ।

ପ୍ରାପ୍ତ ଅଭିଯୋଗ ଅନୁଯାୟୀ, ଉକ୍ତ ଡିଗ୍ରୀ କଲେଜର ବର୍ତ୍ତମାନ ଅଧ୍ୟକ୍ଷା ଭାବେ ସରକାରଙ୍କ ଅନୁଦାନ ପାଉଥିବା ରାଜଶ୍ରୀ ମିଶ୍ର ୧୯୯୬ ମସିହାରେ ୪୬ % ମାର୍କରେ ଜୁନିୟର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ । ପରେ ୧୯୯୭ ରେ ସେ ୫୦ % ମାର୍କ ବୃଦ୍ଧି କରିଥିଲେ । ହେଲେ ଜଣେ ଅଧ୍ୟାପକ ହେବା ପାଇଁ ୫୫ % ମାର୍କ ଆବଶ୍ୟକ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ଚିଠି ନଂ ୧୨୨୬,ତା ୦୫.୦୨.୨୦୨୧ ରେ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖିଛନ୍ତି । ଏବେ ସେ +୩ର ଅନୁଦାନପ୍ରାପ୍ତ ଅଧ୍ୟକ୍ଷା ହୋଇଥିବା ବେଳେ ତାଙ୍କର ନାମ +୨ ରେ ଅନୁମୋଦନ ପାଇଁ ତା ୮.୪.୨୦୧୬ରେ ମଧ୍ୟ ଆସିଥିବା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଜଣାଇଛନ୍ତି । ଖାଲି ସେତିକି ନୁହେଁ ଉକ୍ତ କଲେଜରେ ଅଧ୍ୟକ୍ଷାଙ୍କର ଭାଇ ସତ୍ୟ ରଂଜନ ମିଶ୍ର, ଦୁଇ ଭଉଣୀ ଜୟଶ୍ରୀ ଓ ରାଜଶ୍ରୀ, ତାଙ୍କ ଭଉଣୀଙ୍କ ସ୍ୱାମୀ ତପନ ଶତପଥୀ ଏପରି ଗୋଟିଏ ଘରୁ ୫ ଜଣ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି । ପ୍ରକାଶଯୋଗ୍ୟ ଯେ ଏହି ସମୟରେ ଉକ୍ତ କଲେଜର ସଭାପତି ଭାବେ ଅଧ୍ୟକ୍ଷାଙ୍କର ମା’ ଓ ବାପା ସଭାପତି ରହିଆସିଛନ୍ତି ।

ବିଭିନ୍ନ ଅନିୟମିତତା ନେଇ ଅଭିଯୋ ହେବା ପରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ସ୍ୱତନ୍ତ୍ର ଅଡିଟ ପାଇଁ କଲେଜକୁ ପଠାଇଥିଲେ । ହେଲେ ଅଡିଟରେ ସନ୍ତୁଷ୍ଟ ନହୋଇ ଅଧ୍ୟକ୍ଷା ରାଜଶ୍ରୀଙ୍କୁ କାହିଁକି ତାଙ୍କର ‘ଗ୍ରାଣ୍ଟ ଇନ ଏଡ୍‌’ଉଚ୍ଛେଦ ନହେବ ବୋଲି କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରିଥିଲେ । ହେଲେ ଆଜିଯାଏ ସରକାର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଉଚ୍ଚ ଶିକ୍ଷା ସଚିବଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ପୁଞ୍ଜିଭୁତ କ୍ରୋଧ ରାଜ ରାସ୍ତାକୁ ଆସିଛି । ଫଳରେ ଅଧ୍ୟକ୍ଷାଙ୍କୁ ବହିସ୍କାର କରିବା ସହ ଅଧ୍ୟକ୍ଷାଙ୍କୁ ଘଣ୍ଟ ଘୋଡାଉଥିବା ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟଧାରାର ନ୍ୟାୟିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ବିକ୍ଷୋଭକାରୀ ଆଜି ଶୁକ୍ରବାର ବିଧାନସଭା ଆଗରେ ଧାରଣାରେ ବସିଛନ୍ତି ।

ପ୍ରକାଶଯୋଗ୍ୟ ଯେ ଉକ୍ତ ଅଧ୍ୟକ୍ଷାଙ୍କ ପିତା ବିଜୟ କୃଷ୍ଣ ମିଶ୍ର ଶତାଧିକ ଲୋକଙ୍କ ଠାରୁ ଚାକିରି ନାମରେ ଲକ୍ଷାଧିକ ଠକି ନେଇଥିବାରୁ ଉକ୍ତ ଅର୍ଥ ଫେରସ୍ତ ଦାବି କରିଛନ୍ତି ବିକ୍ଷୋଭକାରୀ । ଏଥିସହ ସାରା ରାଜ୍ୟରେ କଲେଜର ସଭାପତି ଭାବେ ଏଡିଏମ ଥିବା ବେଳେ ଜଣେ ଅଣ୍ଡର ଗ୍ରାଜୁଏଟ ଜୋର ଜବରଦସ୍ତ ସଭାପତି ରହିଥିବା ଓ ଏଥିରେ ସରକାରୀ କଳର କିଛି ଲାଞ୍ଚଖୋର ଅଫିସର ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଫଳରେ କୋର୍ଟ ମାଧ୍ୟମରେ ସରକାରଙ୍କୁ ଭୁଆଁ ବୁଲାଇ ବେନିୟମ ଭାବେ ସଭାପତି ରହିଥିବା ଅଭିଯୋଗ ହୋଇଛି । ଉକ୍ତ ସଭାପତି ଓ ଅଧ୍ୟକ୍ଷାଙ୍କ ନାମରେ ସସ୍ମିତା ସ୍ୱାଇଁ ନାମରେ ଜଣେ ମହିଳା ଥାନାରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଫଳରେ ଉଭୟ ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର ଓ ସଭାପତି ବିଜୟ କୃଷ୍ଣ ମିଶ୍ରଙ୍କ ନାମରେ ସାଲେପୁର ଥାନାରେ ,ଆଇପିସି ୧୮୬୦ ଦଫା ୪୧୭,୪୨୦,୨୯୪,୫୦୯ ଆଦି ବିଭିନ୍ନ ଦଫାରେ କେସ ଦାୟର ହୋଇଥିବା ଜଣାଯାଇଛି ।

ଏଥିସହ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ବର୍ତ୍ତମାନର ସଭାପତି ବିଜୟ କୃଷ୍ଣ ମିଶ୍ର ତାଙ୍କ ଦସ୍ତଖତକୁ ଜାଲି କରି ତାଙ୍କର ସଭାପତି ପାଇଁ ଇଚ୍ଛା ନାହିଁ ବୋଲି ଦର୍ଶାଇ ତାଙ୍କୁ କଲେଜ ପରିଚାଳନା ପରିଷଦରୁ ବାହାର କରିଦେଇଛନ୍ତି । ଯାହାର ତଦନ୍ତ ପାଇଁ ବିଧାୟକ ଲେଖିଥିଲେ ମଧ୍ୟ ପୋଲିସ ସହଯୋଗ କରିନଥିଲା । ଫଳରେ ବିଧାୟକ ତାଙ୍କ ଚିଠି ନଂ-୬୯ ତା-୧୬.୦୪ .୨୦୨୧ ରେ ତାଙ୍କ ମାମଲାରେ ତଦନ୍ତକାରୀ ଅଫିସର ବଦଳାଇବା ସହ ସାଲେପୁର ଏସଡିପିଓଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏସପିଙ୍କୁ ଲେଖିଛନ୍ତି ।

ଏହିସବୁ ଅନିୟମିତତାର ତଦନ୍ତ କରିବା ସହ ଅଧ୍ୟକ୍ଷାଙ୍କୁ ବହିସ୍କାର ଓ ବେନିୟମକୁ ଘଣ୍ଟ ଘୋଡାଉଥିବା ଉଚ୍ଚ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବକ୍ଷୋଭକାରୀ ଦାବି କରିଛନ୍ତି । ନଚେତ ବିଧାନସଭା ଆଗରେ ଧାରଣା ଚାଲୁ ରହିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.