ପୁଣି ବିବାଦରେ ଧର୍ମେନ୍ଦ୍ର : ଗଜପତିଙ୍କ ଛେରାପହଁରାକୁ କହିଲେ ଝାଡୁ ମାରିବା

ଭୁବନେଶ୍ବର : ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଘୋଷଯାତ୍ରା । ବିଭିନ୍ନ ଗଣମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ସଂପର୍କରେ ଘଣ୍ଟାଘଣ୍ଟା ଧରି ଜଗନ୍ନାଥ ସଂସ୍କୃତି ଗବେଷକ ଓ ପଣ୍ଡିତମାନେ ଧାରା ବିବରଣୀ । ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ଯାଇ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆରମ୍ଭ କରିଥିଲେ ପ୍ରବଚନ ।

ପବିତ୍ର ରଥଯାତ୍ରା ଅବସରରେ ସାମ୍ନାକୁ ଆସିଛି ଜଗନ୍ନାଥ ସଂସ୍କୃତିକୁ ନେଇ ବଡ଼ବିବାଦ । ଯାହା ପୁଣି ସୃଷ୍ଟି ହୋଇଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରୁ । ପ୍ରବଚନ ଦେବାକୁ ଯାଇ ଗଜପତିଙ୍କ ଛେରାପହଁରାକୁ ଝାଡୁ ମାରିବା ଓ ଗଜପତିଙ୍କ କାର୍ଯ୍ୟକୁ ଝାଡୁଦାରଙ୍କ ସହ ଧର୍ମେନ୍ଦ୍ର ତୁଳନା କରିଛନ୍ତି । ପୁଣି କହୁକହୁ କହିଦେଇଛନ୍ତି, ଗଜପତିଙ୍କ ଛେରାପହଁରା ସ୍ୱଚ୍ଛ ଭାରତ ଅଭିଯାନ ସହ ସମାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ପାଣ୍ଡିତ୍ୟକୁ ଦେଖି ଜଗନ୍ନାଥ ପ୍ରେମୀ ମଧ୍ୟ ତାଜୁବ । ଗଜପତିଙ୍କ ଛେରା ପହଁରାର ଅର୍ଥ କ’ଣ ଅଳିଆ ସଫା କରିବା ? ଅଳିଆ ସଫା କରିବା ବ୍ୟକ୍ତି କଣ ଜଗନ୍ନାଥ ସଂସ୍କୃତିର ଗଜପତି ? ଏଭଳି ଅନେକ ପ୍ରଶ୍ନ ଏବେ ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରିଛି । ଏବେ ଶୁଣନ୍ତୁ, ଜଗନ୍ନାଥ ସଂସ୍କୃତି ଓ ଗଜପତି ପରମ୍ପରାକୁ ନେଇ ଆଉ କେଇ ପଦ ପ୍ରବଚନ ।

କିମ୍ବଦନ୍ତୀ କହେ, ଗଜପତିଙ୍କ ଛେରା ପହଁରାକୁ କାଞ୍ଚି ରାଜା ନାପସନ୍ଦ କରିଥିବାରୁ ସ୍ୱଂୟ ଶ୍ରୀଜଗନ୍ନାଥ ଓ ବଡଭାଇ ବଳଭଦ୍ର କଳା ଓ ଧଳା ଘୋଡାରେ କାଞ୍ଚି ଅଭିଯାନ କରିଥିଲେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥ ସଂସ୍କୃତି ନେଇ ଯେଉଁ ପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି, ତାକୁ ନେଇ ଜଗନ୍ନାଥପ୍ରେମୀ ସହ୍ୟ କରିବେ ତ ?

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି, ସେଭଳି ମନ୍ତବ୍ୟ ପାଇଁ ଧର୍ମେନ୍ଦ୍ର କ୍ଷମା ମାଗନ୍ତୁ । ସେହିପରି ବିଜେ଼ଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଜଗନ୍ନାଥଙ୍କୁ ନେଇ ଯିଏ ରାଜନୀତି କରିଛି, ତା’ର ଅବକ୍ଷୟ ହୋଇଛି । ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ନେଇ ବୁଦ୍ଧିଜୀବୀମାନେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.