ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ

ଭୁବନେଶ୍ୱର : ଯୌତୁକ ଜୁଇରେ ଜଳିଗଲେ ଆଉ ଜଣେ ବୋହୂ । ଟଙ୍କା ଲୋଭରେ ରାକ୍ଷସ ପାଲଟିଗଲେ ସ୍ୱାମୀ, ଶାଶୂ ଓ ଶ୍ୱଶୁର । ଟଙ୍କା ନମିଳିବାରୁ ଶେଷରେ ବୋହୂ ଉପରେ କିରାସିନ ଢାଳି ନିଆଁ ଲଗାଇଦେଲେ ତିନି ସୈତାନ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୩ ଦିନ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ଆଖି ବୁଜିଛନ୍ତି ନୟାଗଡ଼ର ଚନ୍ଦ୍ରକାନ୍ତି । ହେଲେ ଦେଇଛନ୍ତି ମୃତ୍ୟୁକାଳୀନ ଜମାନବନ୍ଦୀ । ନୟାଗଡ଼ ଜିଲ୍ଲା ପାର୍ବତୀପୁର ଗାଁର ମାନଗୋବିନ୍ଦ ବାରିକଙ୍କ ଝିଅ ଚନ୍ଦ୍ରକାନ୍ତି, ୯ ବର୍ଷ ତଳେ ବେଗୁନିଆ ଥାନା ଡିଙ୍ଗର ଗାଁର ରବୀନ୍ଦ୍ର ବାରିକଙ୍କ ପୁଅ ଦେବାଶିଷକୁ ବାହା ହୋଇଥିଲେ । ବାହାଘର ସମୟରେ ଅନ୍ୟାନ୍ୟ ସାମଗ୍ରୀ ସହ ୫୦ହଜାର ଟଙ୍କା ଯୌତୁକ ନେଇଥିଲେ ବରପକ୍ଷ । କିନ୍ତୁ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ପାଇଁ ଚନ୍ଦ୍ରକାନ୍ତିଙ୍କୁ ନିର୍ୟାତନା ଦେଇଆସୁଥିବା ଅଭିଯୋଗ ହୋଇଥିଲା । ଶେଷରେ ଯୌତୁକ ଟଙ୍କା ନପାଇ ସେମାନେ ବୋହୂ ଚନ୍ଦ୍ରକାନ୍ତିଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି । ୩ ଅଭିଯୁକ୍ତ- ସ୍ୱାମୀ, ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.