କଲ୍ୟାଣ ମଣ୍ଡପ ମାମଲାରେ ନୂଆ ନିୟମାବଳୀ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଅ: ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): କଲ୍ୟାଣ ମଣ୍ଡପ ମାମଲାରେ ନୂଆ ନିୟମାବଳୀ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ପାଇଁ ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନୂତନ ନିୟମାବଳୀ ନଭେମ୍ବର ୧୪ସୁଦ୍ଧା ଅଦାଲତରେ ଦାଖଲ କରିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ ଭେଙ୍କଟ ରାଓଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ଡିସେମ୍ବର ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସିଏମସି ଅଧିନରେ ଥିବା କଲ୍ୟାଣ ମଣ୍ଡପଗୁଡିକୁ ଏବେ ବେଆଇନ ଭାବେ ସର୍ତ୍ତମୂଳକ ଲାଇସେନ୍ସ ପ୍ରଦାନ କରାଯାଇଛି। ସର୍ତ୍ତମୂଳକ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ଦର୍ଶାଯାଇ ହାଇକୋର୍ଟରେ ଏକ ମିସ କେସ ଦାୟର ହୋଇଛି। ଏହି ଘଟଣାରେ କ୍ରାଇମବ୍ରାଞ୍ଚ କିମ୍ବା ଭିଜିଲାନ୍ସ ସଂସ୍ଥା ମାଧ୍ୟମରେ ତଦନ୍ତ କରାଯିବା ସହ ଏ ନେଇ ରେକର୍ଡ ତଲବ କରାଯାଉ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ଇ. ଭେଙ୍କଟ ରାଓ ଓ ଅନ୍ୟମାନଙ୍କ ପକ୍ଷରୁ ପୂର୍ବରୁ ଦାୟର ମାମଲା ଉପରେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରି ଅରୁଣ କୁମାର ବୁଦ୍ଧିଆଙ୍କ ପକ୍ଷରୁ ଏହି ମାମଲା ଦାୟର ହୋଇଛି।

Leave A Reply

Your email address will not be published.