କଟକ(କେନ୍ୟୁଜ୍): ମାଟିତଳୁ ମିଳିଛି ବହୁ ପ୍ରାଚୀନ ତଥା ପୁରାତନ ମୂର୍ତ୍ତି । କଟକରେ ଅଲୌକିକ ଘଟଣା। ବିରିବାଟୀ ସ୍ଥିତ ନାହାଭଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଆଶ୍ଚର୍ଯ୍ୟକର ଦୃଶ୍ୟ। ଗ୍ରାମର ଦୀନବନ୍ଧୁ ବେହେରାଙ୍କ ଘର ମାଟିତଳୁ ବାହାରିଲା ୧୩ଟି ପିତ୍ତଳ ମୂର୍ତ୍ତି। କିଛି ଦିନ ତଳେ ଶମ୍ଭୁଙ୍କୁ ଘରର ଏକ କେଠାରୀ ତଳେ ଠାକୁରଙ୍କ ମୂର୍ତ୍ତି ଥିବା ନେଇ ରାତିରେ ସ୍ବପ୍ନାଦେଶ ହୋଇଥିଲା। ପରେ ଠାକୁରଙ୍କ ସ୍ବପ୍ନାଦେଶ ଅନୁଯାୟୀ ମାଟି ଖୋଳି ଠାକୁରଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଛି।
ଉଦ୍ଧାର ମୂର୍ତ୍ତି ମଧ୍ୟରେ ଗରୁଡ, ବ୍ରହ୍ମା-ବିଷ୍ନୁ-ମହେଶ୍ବର, ଗଣେଷ, ସରସ୍ୱତୀ, ବ୍ରୁଷଭ, ଶାଳଗ୍ରାମ, ରାମ ଅଭିଷେକ, ଶିବ, ନାରାୟଣ ଏବଂ ଅଷ୍ଟଭୂଜା ମା ଦୂର୍ଗାଙ୍କ ମୂର୍ତ୍ତି ରହିଛି। ଏହି ପ୍ରାଚୀନ ମୂର୍ତ୍ତିକୁ ଦେଖିବା ପାଇଁ ଶମ୍ଭୁ ଙ୍କ ଘରେ ଲାଗିଛି ହଜାର ହଜାର ଲୋକଙ୍କ ଭିଡ଼। ତେବେ ସ୍ୱପ୍ନ ଆଧାରରେ ଘର ଆଗରେ ଥିବା ପଡିଆରେ ମନ୍ଦିର ନିର୍ମାଣ କରି ଏହି ସମସ୍ତ ମୂର୍ତ୍ତିକୁ ପୂଜା କରିବା ପାଇଁ ଏହି ସ୍ୱପ୍ନାଦେଶ ହୋଇଥିବା କହିଛନ୍ତି ଶମ୍ଭୁ ବେହେରା ।ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଅନ୍ୟପଟେ ଖବର ପାଇ ଶମ୍ଭୁ ବେହେରାଙ୍କ ଘରେ ପହଞ୍ଚିଛି ଏଏସଆଇର ଏକ ଟିମ । ମାଟିତଳୁ ମିଳିଥିବା ଏହି ପ୍ରାଚୀନ କାଳର ମୂର୍ତ୍ତିକୁ ଯାଞ୍ଚ କରିଛି । ପିତଳର ମୂର୍ତ୍ତି ଗୁଡିକୁ ଉଦ୍ଧାର କରିବା ପାଇଁ ପ୍ରତ୍ନତତ୍ତ୍ଵ ବିଭାଗ ଘରେ ପହଞ୍ଚି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି ।ତେବେ ସମସ୍ତ ଯାଞ୍ଚ କରିବା ପରେ ଆଗମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକାରୀ। ତେବେ ଏହି ମୂର୍ତ୍ତିକୁ ଯାଞ୍ଚ କରିବା ପରେ ଏହା କେଉଁ ସମୟର ମୂର୍ତ୍ତି ଓ ଏହା ପଛରେ କଣ ରହସ୍ୟ ରହିଛି ତାହା ଜଣା ପଡିବ।